ବାରିପଦା /ସାହାରପଡା; କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡା ପଞ୍ଚାୟତର ବାଦୁଡିଘୋରା ସାହିର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଅସୁସ୍ଥ ହୋଇ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ବୃଦ୍ଧ ହେଲେ କାବା ନାଏକ। ଲଗାଣ ବର୍ଷା ଯୋଗୁଁ ତାଙ୍କ ଘରର ଛପର ଓ କାନ୍ଥ ଭାଙ୍ଗିଯାଇଥିଲା। ଏନେଇ ସେ ଟାଙ୍ଗରପଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକ ଅନିତା ନାଏକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରାଜସ୍ୱ ନିରୀକ୍ଷକ ତାଙ୍କ ଘର ପରିଦର୍ଶନ କରି ପଲିଥିନ ଯୋଗାଇ ଦିଆଯିବ ବୋଲି କହିଥିବା ଜଣାପଡ଼ିଛି। ପଲିଥିନ ନେବା ପାଇଁ କାବା ନାଏକ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଯାଇ ସେଠାରେ ଅପେକ୍ଷା କରିଥିଲେ। ହଠାତ୍ ସେ ଅସୁସ୍ଥ ଅନୁଭବ କରି ତଳେ ପଡ଼ିଯାଇଥିଲେ। ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର କାବା ନାଏକଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାକୁ ନେଇ ଅଞ୍ଚଳରେ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି। ବିଶେଷକରି ବର୍ଷା ଓ ବିପର୍ଯ୍ୟୟ ସମୟରେ ବୟସ୍କ ଓ ଅସହାୟ ହିତାଧିକାରୀଙ୍କୁ କାର୍ଯ୍ୟାଳୟକୁ ଡାକିବା ପରିବର୍ତ୍ତେ ପ୍ରଶାସନ ପକ୍ଷରୁ ତାଙ୍କ ଘରେ ପଲିଥିନ ଭଳି ଆବଶ୍ୟକ ସହାୟତା ପହଞ୍ଚାଇବାକୁ ଦାବି ହୋଇଛି। ଏଥିସହ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
