ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜରାଟ ଟାଇଟନ୍ସର ରୋମାଞ୍ଚକ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଆଫଗାନିସ୍ଥାନର ସଫଳତମ ସ୍ପିନ୍ ତାରକା ରସିଦ ଖାନ୍ ଖୁବ୍ଶୀଘ୍ର ଟେଷ୍ଟ୍ କ୍ରିକେଟ୍ରୁ ସନ୍ନ୍ୟାସ ନେବେ। ପିଠିରେ ଅସ୍ତ୍ରୋପଚାର ହେବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ମଧ୍ୟ ରସିଦ ଚଣ୍ଡିଗଡ଼ରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ପ୍ରତୀକ୍ଷିତ ଟେଷ୍ଟ୍ ମ୍ୟାଚ୍ରୁ ଓହରି ଯାଇଛନ୍ତି। ଏହି ମ୍ୟାଚ୍ ଆସନ୍ତା ଜୁନ୍ ମାସରେ ଖେଳାଯିବାର ଅଛି। ବୁଧବାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ ରସିଦ କହିଥିଲେ, ମୁଁ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଖେଳିବାର ସମ୍ଭାବନା ପ୍ରାୟ ନାହିଁ। ଡାକ୍ତରମାନେ ମୋତେ ଏହା ବିପକ୍ଷରେ ପରାମର୍ଶ ଦେଇଛନ୍ତି। ସେମାନଙ୍କ ବାରଣ ସତ୍ତ୍ୱେ ମୁଁ ଜିମ୍ବାୱେ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲି। ଏକାକୀ ୬୭ ଓଭର ବୋଲିଂ କରିଥିଲି। ଯାହା ପାଗଳାମୀଠାରୁ କିଛି କମ୍ ନୁହେଁ। ଏବେ କିନ୍ତୁ ଆଉ ଲାଲ୍ ବଲ୍ ଖେଳିବା ମୋ ପକ୍ଷରେ ସମ୍ଭବ ହେବନି। ମୁଁ ଯଦି ଏହା କରେ ସବୁଦିନ ପାଇଁ କ୍ରିକେଟ୍ ପଡ଼ିଆରୁ ଦୂରେଇବାକୁ ବାଧ୍ୟ ହେବି ବୋଲି ଡାକ୍ତରମାନେ ସାନି ଚେତାବନୀ ଦେଇଛନ୍ତି। ସେହିଭଳି ଏବେ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ଏହି ଅବସରରେ ରସିଦ ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ ଭାରତ ବିପକ୍ଷରେ ଆଫଗାନିସ୍ତାନ ଖେଳିଥିବା ନିଜ ସର୍ବପ୍ରଥମ ଟେଷ୍ଟ୍ ମ୍ୟାଚ୍ର ରସିଦ ସଦସ୍ୟ ଥିଲେ। ୮ବର୍ଷ ପରେ କିନ୍ତୁ ଭାରତ ବିପକ୍ଷରେ ନିଜ ଶେଷ ଟେଷ୍ଟ୍ ଖେଳିବାର ସୁଯୋଗକୁ ହାତଛଡ଼ା କରିବାକୁ ଯାଉଛନ୍ତି ସେ। ଏବେ ସୁଦ୍ଧା ରସିଦ ମାତ୍ର ୬ଟି ଟେଷ୍ଟ୍ ଖେଳି ୨୪ ୱିକେଟ୍ କରାୟତ୍ତ କରିଛନ୍ତି। ତେବେ ଆଫଗାନିସ୍ତାନ ଅଧିକ ଟେଷ୍ଟ୍ ମ୍ୟାଚ୍ ନ ଖେଳିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି।
