ବାରିପଦା /ସାହାରପଡା ; କେନ୍ଦୁଝର ଜିଲ୍ଲା,ପାଟଣା ଥାନା ମଲ୍ଲୀପଶି ଭୂମିଜ ସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ମଲ୍ଲୀପଶି ଭୂମିଜ ସାହିର ହେମନ୍ତ ଭୂମିଜ ଓ ତାଙ୍କ ସ୍ତ୍ରୀ ସବିତା ଭୂମିଜଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ବଚସା ହୋଇଥିଲା। ଏହି ସମୟରେ ହେମନ୍ତ ଏକ କାଠ ଫାଳିଆରେ ସବିତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ରହିଛି। ଏଥିରେ ସବିତା ଗୁରୁତର ହୋଇ ପରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ପାଟଣା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ପାଟଣା ଥାନାରେ ମାମଲା ନମ୍ବର ୩୦୭/୨୬ ରେ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୁକ୍ତ ସ୍ୱାମୀ ହେମନ୍ତ ଭୂମିଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
