ଗୁଆହାଟୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)- ୨୦୨୬ର ତ୍ରୟୋଦଶ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଗୁଆହାଟୀସ୍ଥିତ ବାରସପରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷାବାଧିତ ଏହି ମ୍ୟାଚ୍କୁ ୧୧-୧୧ ଓଭର କରି ଦିଆଯାଇଥିଲା ବେଳେ ରାଜସ୍ଥାନ ବ୍ୟାଟିଂ କରିଥିଲା। ଏହି ମ୍ୟାଚ୍ରେ ଯୁବ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ରାଜସ୍ଥାନ ୩ଟି ୱିକେଟ୍ ହରାଇ ୧୫୦ ରନସଂଗ୍ରହ କରିଛି। ଫଳରେ ମୁମ୍ବାଇକୁ ମ୍ୟାଚ୍ ଜିତିବା ପାଇଁ ୧୫୧ ରନ୍ର ଲକ୍ଷ୍ୟ ମିଳିଛି। ଯଶସ୍ୱୀ ଜୟସ୍ୱାଲ ଅପରାଜିତ ୭୭ରନ୍ ସଂଗ୍ରହ କରିଛନ୍ତି। ସେ ୩୨ଟି ବଲ୍ ଖେଳି ୧୦ଟି ଚୌକା ଏବଂ ୪ଟି ଛକା ମାରିଛନ୍ତି। ଯୟସ୍ୱାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ୱିକେଟ୍ ପାଇଁ ୮୦ ରନ୍ର ଭାଗିଦାରୀ କରିଥିଲେ। ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ଟି ବଲ୍ ଖେଳି ଥିଲେ। ସେ ଗୋଟିଏ ଚୌକା ଏବଂ ୫ଟି ଛକା ମାରିଥିଲେ। ଅଧିନାୟକ ରିୟାନ ପରାଗ ୧୦ଟି ବଲ୍ର ସାମ୍ନା କରି ଗୋଟିଏ ଚୌକା ଏବଂ ୨ଟି ଛକା ବଳରେ ୨୦ ରନ୍ ସଂଗ୍ରହ କରିଥିଲେ। ଧ୍ରୁବ ଜୁରେଲ ମାତ୍ର ୨ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ସିମରନ ହେଟ୍ମେୟର ଅପରାଜିତ ୬ ରନ୍ କରିଥିଲେ। ମୁମ୍ବାଇ ପକ୍ଷରୁ ଏଏମ୍ ଗଜନଫର ସର୍ବାଧିକ ୨ଟି ୱିକେଟ୍ ଅକ୍ତିଆର କରିଥିଲା ବେଳେ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
