ହିନ୍ଦୋଳ : ଅଦିନିଆ କାଳବୈଶାଖୀ ବର୍ଷାରେ କୁଆପଥର ମାଡରେ ଲୋକଙ୍କ ଘରର ଚାଳ ଓ ଆଜବେଷ୍ଟ୍ ଆଦି ଫାଟି ଚୁରମାର ହୋଇଯାଇଛି। ଏଥିସହିତ ପନିପରିବା ଫସଲ ସବୁ ଉଜୁଡି ଯାଇଛି। ଆଜି ହୋଇଥିବା ହଠାତ୍ ଅଦିନିଆ କାଳବୈଶାଖୀ ବର୍ଷାରେ ବଡ଼ ବଡ଼ କୁଆପଥର ବର୍ଷିଥିବା ସଙ୍ଗେ ସଙ୍ଗେ ପଛରେ ତୁହାକୁ ତୁହା ବର୍ଷା ହୋଇଥିଲା। ଫଳରେ ଗଛର ପତ୍ରମାନ ଝଡ଼ି ରାସ୍ତାଘାଟ ଓ ଜମି ଆଦି ସବୁଜ ରଙ୍ଗରେ ପରିପୂର୍ଣ୍ଣ ହୋଇଥିଲା। ସୂଚନା ଅନୁଯାୟୀ ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଞ୍ଚାୟତରେ କାଳବୈଶାଖୀ କାଳରୂପ ସ୍ୱରୂପ ବଡ଼ ବଡ଼ କୁଆପଥର ମାଡ ହୋଇଥିଲା। ଯାହାଫଳରେ ବାଉଁଶପୋଖରୀ ଗ୍ରାମ ସମେତ ଗୋହିରାଛୋଡ ଅତ୍ୟଧିକ ପ୍ରଭାବିତ ହୋଇଥିଲା। ଲୋକଙ୍କ ଘର ଚାଳ ଫାଟିଯିବାରୁ ଘରେ ପାଣିର ଲହରୀ ଦେଖାଦେଇଥିଲା । ଏବଂ ଜମି ଗୁଡିକରେ ମଧ୍ୟ ବରଫ ଗଦେଇ ହୋଇ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା। ଏପରିକି ବଡ଼ ବଡ଼ ଗଛମାନ ଭାଙ୍ଗି ରାସ୍ତାରେ ପଡ଼ିଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ହିନ୍ଦୋଳ ଉପଖଣ୍ଡର ବହୁସ୍ଥାନରେ ଏତାଦୃଶ ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟର କଥା କି ହିନ୍ଦୋଳ ଏନ୍ଏସିର ଟାଉନ୍ ଭିତରେ ବର୍ଷା କିମ୍ବା କୁଆପଥର ଦେଖିବାକୁ ସ୍ୱପ୍ନ ହୋଇଥିଲା।
