Oplus_16908288
ବାରିପଦା /ସାହାରପଡା: ହାତୀ ଉପଦ୍ରବରେ ଅତିଷ୍ଠ ହୋଇ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କପାସପଡ଼ା ନିକଟରେ ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଦିନକୁ ଦିନ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ି ଚାଲିଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ତୀବ୍ର ହୋଇଛି। ସୂଚନା ଅନୁଯାୟୀ, ଗତ କିଛିଦିନ ଧରି ଦୁଇଟି ହାତୀପଲରେ ପ୍ରାୟ ୨୦ଟି ଓ ୯ଟି ହାତୀ ବିଭିନ୍ନ ଗ୍ରାମରେ ପଶି ଧାନ ଫସଲ ସମେତ ବୋଇତାଳୁ, ମକା ଓ ଅନ୍ୟାନ୍ୟ ଚାଷ ନଷ୍ଟ କରୁଛନ୍ତି। ଗତକାଲି କେତାଙ୍ଗ ଗ୍ରାମରେ ୯ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଥିବା ବେଳେ ବିଳମ୍ବିତ ରାତିରେ ବାବୁଲି ମହାନ୍ତଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଘର ଭିତରେ ପରିବାର ଲୋକେ ଶୋଇଥିବା ସମୟରେ ଏହି ଘଟଣା ଘଟିଥିବାରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଧୋବାପିଟିଣା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଆହୁରି ବଢ଼ିଛି। ହାତୀ ଉପଦ୍ରବ ରୋକିବାରେ ବନ ବିଭାଗର ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକାରୀମାନେ ନିୟମିତ ହାତୀ ପାଟ୍ରୋଲିଂ, ହାତୀପଲଙ୍କୁ ଅନ୍ୟତ୍ର ଘଉଡ଼ାଇବା ସହ ନଷ୍ଟ ହୋଇଥିବା ଫସଲ ଓ ଘରର ତୁରନ୍ତ ଆକଳନ କରି କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି। ରାଜପଥ ଅବରୋଧ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ବନ ବିଭାଗର ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ବୁଝାସୁଝା କରୁଛନ୍ତି। ହାତୀ ଉପଦ୍ରବର ସ୍ଥାୟୀ ସମାଧାନ ସହ ଲୋକଙ୍କ ଜୀବନ ଓ ଫସଲର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
