ଆସିକା: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ କ୍ରମାଗତ ଭାବେ ଘଟିଥିବା ଚୋରି ଓ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ମୟୂରଭଞ୍ଜ ଓ ଗଞ୍ଜାମ ପୋଲିସର ମିଳିତ ତଦନ୍ତ ଏବଂ ଚଢ଼ାଉରେ ଆସିକା ଅଞ୍ଚଳରୁ ପ୍ରାୟ ୨୧ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଜବତ ହୋଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏନେଇ ମଙ୍ଗଳବାର ଆସିକା ଉପଖଣ୍ଡ ପୋଲିସ ଅଧିକାରୀ (ଏସ୍ଡିପିଓ) ସୌରଭ ରଞ୍ଜନ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଗତ ଜୁଲାଇ ୨୧ରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲଗାତାର ୫ଟି ଚୋରି ଓ ଡକାୟତି ଘଟଣା ଘଟିଥିଲା। କୋଳିଅଣା ଥାନାରେ ଗୋଟିଏ, ମୋରଡ଼ା ଥାନାରେ ଦୁଇଟି, ଝାରପୋଖରିଆ ଥାନାରେ ଗୋଟିଏ ଏବଂ ଯଶିପୁର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିଲା।

ବିଶେଷକରି ଅଗଷ୍ଟ ୨୨ ତାରିଖରେ ମୋରଡ଼ା ଥାନା ଅଧୀନ ଏକ ସାପ୍ତାହିକ ହାଟରୁ ବ୍ୟବସାୟ ସାରି ତପନ କୁମାର ପଇଡ଼ି କା?ର୍ ଯୋଗେ ଘରକୁ ଫେରୁଥିବା ବେଳେ ଚାରିଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ରାସ୍ତାରେ ଜଣେ ଦୁର୍ବୃତ୍ତ ବାଇକ୍ରୁ ପଡ଼ିଯିବାରୁ ତପନ ଗାଡ଼ି ଅଟକାଇଥିଲେ। ଏହାର ସୁଯୋଗ ନେଇ ଅନ୍ୟ ତିନିଜଣ ତାଙ୍କୁ ଭୟଭୀତ କରି ତାଙ୍କ ନିକଟରେ ଥିବା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ତପନ ମୋରଡ଼ା ଥାନାରେ ଅଭିଯୋଗ କରିବା ପରେ ମୋରଡ଼ା ଥାନା କେସ୍ ନମ୍ବର ୩୩୪/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ଏକ ହୋଣ୍ଡା ୟୁନିକର୍ଣ୍ଣ ବାଇକ୍ ଜବତ କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଥିଲା। ତଦନ୍ତରୁ ଲୁଟ୍ ଘଟଣାର ଲିଙ୍କ୍ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ସହ ଥିବା ଜଣାପଡ଼ିଥିଲା। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଓ ଗଞ୍ଜାମ ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଆସିକା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଏ. ନରେଶ ନାମକ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା।

ତାଙ୍କ ନାମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏକାଧିକ ଅପରାଧିକ ମାମଲା ଥିବା ପୋଲିସ କହିଛି। ଅଭିଯୁକ୍ତଙ୍କ ବୟାନ ଆଧାରରେ ଆସିକା ପାକଲାପଲ୍ଲୀ ଅଞ୍ଚଳର ଏରେଗଲା କ୍ୟାମ୍ପରୁ ୭ କିଲୋ ୫୦୦ ଗ୍ରାମ ରୁପା ଅଳଙ୍କାର ଓ ୬୦ ଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଛି। ଜବତ ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୨୧ ଲକ୍ଷ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି। ମୟୂରଭଞ୍ଜ ଜିଲ୍ଲାର ସାପ୍ତାହିକ ହାଟଗୁଡ଼ିକରେ ସୁନା ବ୍ୟବସାୟୀଙ୍କୁ ଟାର୍ଗେଟ କରି ଲୁଟ୍ ଯୋଜନା କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣାରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଏହି ଚଢ଼ାଉରେ ଆସିକା ଏସ୍ଡିପିଓ ସୌରଭ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କ ସମେତ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ, ଯଶିପୁର ଥାନା ଅଧିକାରୀ ରାଜେଶ କୁମାର ସେଠୀ, ସାଇବର ସେଲ୍ ହାବିଲଦାର କାବ୍ୟକଣ୍ଠ ତ୍ରିପାଠୀ, ବଳରାମ ମହାଳିକ, ସ୍ପେଶାଲ ସ୍କ୍ୱାଡ୍ ହାବିଲଦାର ମାନସ ରଞ୍ଜନ ତରେଇଙ୍କ ସମେତ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଅନ୍ୟ ଚୋରି ଓ ଡକାୟତି ଘଟଣା ସହ ଏହି ଗ୍ୟାଙ୍ଗ୍ର ସମ୍ପର୍କ ରହିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି।
