ଆସିକା: ଆସିକା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଏବେ ବି ଦୂର ହୋଇନାହିଁ। ବନ୍ୟା ପ୍ରଭାବିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ଜାରି ରହିଛି। ଦୈନିକ ପ୍ରାୟ ୨୦ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ସହର ଓ ଗ୍ରାମାଞ୍ଚଳରେ ବଣ୍ଟନ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ତେବେ ରିଲିଫ୍ ବଣ୍ଟନ ସହିତ ବନ୍ୟା ପରବର୍ତ୍ତୀ ପରିମଳ ବ୍ୟବସ୍ଥାର ସୁଧାର ଏବେ ଏକ ବଡ଼ ଆହ୍ୱାନ ହୋଇଛି। ଆସିକା ସହରର ବିଭିନ୍ନ ୱାର୍ଡରେ ସଫେଇ କାର୍ଯ୍ୟ ଆଶାନୁରୂପ ଅଗ୍ରଗତି କରିନଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଭିନ୍ନ ସାହି ଓ ବସ୍ତିରେ ସଫା କରାଯାଇ ଏଣେତେଣେ ଗଦା ହୋଇ ରହିଥିବା ବର୍ଜ୍ୟବସ୍ତୁ ଏଯାଏଁ ସମ୍ପୂର୍ଣ୍ଣ ଭାବେ ଉଠାଯାଇ ପାରିନାହିଁ। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସହ ଦୁର୍ଗନ୍ଧ ଓ ସ୍ୱାସ୍ଥ୍ୟ ସମସ୍ୟା ଆଶଙ୍କା ଦେଖାଦେଇଛି।

ଅନ୍ୟପକ୍ଷରେ, ଜିଲ୍ଲାର ବିଭିନ୍ନ ସ୍ଥାନରୁ ପରିମଳ କର୍ମଚାରୀଙ୍କୁ ଆଣି ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଦେଖାଯାଇଛି। ତଥାପି କାର୍ଯ୍ୟର ପରିମାଣ ଦୃଷ୍ଟିରୁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିୟୋଜନ କରିବା ସହ ସାହି ବସ୍ତିରେ ଜମା ହୋଇ ରହିଥିବା ବର୍ଜ୍ୟବସ୍ତୁକୁ ତୁରନ୍ତ ହଟାଇବା ଦିଗରେ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ। ବନ୍ୟା ପରବର୍ତ୍ତୀ ସମୟରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ପରିମଳ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
