ଦଶପଲ୍ଲା: ବଳଦ ବିକ୍ରି ବକେୟା ଟଙ୍କା ମାଗିବାକୁ ଯାଇ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଛି। ଦଶପଲ୍ଲା ଥାନା ଅଧୀନ ତୁମାଣ୍ଡି ପଞ୍ଚାୟତର କୁଟୀବାରି ନିକଟସ୍ଥ ଡବାଖୋଲ ନାଳରୁ ପୁଲିସ ଏହି ପୋତା ମୃତଦେହକୁ ଠାବ କରିଛି। ମୃତ ବ୍ୟକ୍ତି ଜଣକ ଟାକରା ଅସିନିବେରେଣା ଗ୍ରାମର ବିରଞ୍ଚି ନାଏକ ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ, ଗତ ୨୯ ତାରିଖ ଦିନ ବିରଞ୍ଚି ପୂର୍ବରୁ ବିକ୍ରି କରିଥିବା ଏକ ବଳଦର ବକେୟା ଟଙ୍କା ଆଣିବା ଲାଗି ଡବାଖୋଲ ନିକଟରେ ରହୁଥିବା ରଞ୍ଜନ ବେହେରାଙ୍କ ନିକଟକୁ ଯାଇଥିଲେ। ମାତ୍ର ଦିନ ତମାମ ବିତିଯାଇଥିଲେ ହେଁ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ସହାୟତାରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇପାରି ନ ଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ, ବିରଞ୍ଚିଙ୍କ କୌଣସି ଖୋଜଖବର ନ ମିଳିବାରୁ ଶେଷରେ ପରିବାର ଓ ଗାଁ ଲୋକେ ମା’ ମଙ୍ଗଳାଙ୍କ ଶରଣାପନ୍ନ ହୋଇ ଆଜ୍ଞା ନେଇଥିଲେ। ଠାକୁରାଣୀଙ୍କ ଆଜ୍ଞା ଅନୁସାରେ କୁଟୀବାରି ଜଙ୍ଗଲର ଡବାଖୋଲ ନାଳ ଆଡ଼େ ଖୋଜାଖୋଜି ଆରମ୍ଭ ହୋଇଥିଲା। ସେହି ଅଞ୍ଚଳରେ ପ୍ରଥମେ ବିରଞ୍ଚିଙ୍କ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ସେଠାରୁ ପ୍ରବଳ ଦୁର୍ଗନ୍ଧ ବାହାରିବାରୁ ନାଳ ନିକଟରେ ଖୋଳାତାଡ଼ା କରିବାରୁ ମାଟିତଳେ ବିରଞ୍ଚିଙ୍କ ଗଳିତ ମୃତଦେହ ପୋତା ହୋଇଥିବା ସ୍ପଷ୍ଟ ହୋଇଥିଲା। ଏ ସମ୍ପର୍କରେ ତୁରନ୍ତ ଦଶପଲ୍ଲା ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଫୋର୍ସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଘଟଣା ଘଟିବା ଦିନଠାରୁ ଅଭିଯୁକ୍ତ ରଞ୍ଜନ ବେହେରା ଫେରାର ରହିଛି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ରଞ୍ଜନ କିଛି ମାସ ହେବ ଏକାନ୍ତ ଜଙ୍ଗଲ ଭିତରେ ଗୁଣିଗାରେଡ଼ି ଅଭ୍ୟାସ କରୁଥିଲା। ଏହି ହତ୍ୟାକାଣ୍ଡ ପଛରେ କେବଳ ଆର୍ôଥକ କାରବାର ରହିଛି ନା ଗୁଣିଗାରେଡ଼ି ସମ୍ପର୍କିତ କୌଣସି କାରଣ ଅଛି, ସେ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
