ବାରିପଦା; ଦେଶର ଏକତା ଓ ଅଖଣ୍ଡତାର ସୁରକ୍ଷା ସହ ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ବାରିପଦାସ୍ଥିତ ପଞ୍ଚମ ବାଟାଲିୟନ ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ ହୋଇଛି। ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ବାଟାଲିୟନ ପକ୍ଷରୁ ରନ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବାଟାଲିୟନର ଦୁର୍ଗପତି ତଥା କମାଣ୍ଡାଣ୍ଟ କାହ୍ନୁଚରଣ ହାଁସଦାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଏକତା ଦୌଡ଼ରେ ବହୁ ଅଧିକାରୀ, ଶାଖା ସଂଘର ସଦସ୍ୟ, ହାବିଲଦାର ଓ ସିପାହୀ ମାନେ ସାମିଲ ହୋଇଥିଲେ। ଦୌଡ଼ ମାଧ୍ୟମରେ ଜାତୀୟ ସଂହତି, ଭାଇଚାରା ଓ ଦେଶପ୍ରେମର ବାର୍ତ୍ତା ପ୍ରସାର କରାଯାଇଥିଲା। ଏହା ସହ ପରେଡ ଗ୍ରାଉଣ୍ଡରେ ଶୃଙ୍ଖଳିତ ପରେଡ ଆୟୋଜିତ ହେବା ସହ ନିଶାମୁକ୍ତ ଭାରତ ଅଭିଯାନ ଉପରେ ଏକ ସଚେତନତା ମୂଳକ ନାଟକ ମଞ୍ଚସ୍ଥ ହୋଇଥିଲା। ନିଶା ସେବନର ଭୟାବହ ପରିଣାମ ସମ୍ପର୍କରେ ଅବଗତ କରାଇବା ସହ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ନାଟକ ମାଧ୍ୟମରେ ଆହ୍ୱାନ ଦିଆଯାଇଥିଲା।
