ଖପ୍ରାଖୋଲ : ଖପ୍ରାଖୋଲ ଅଞ୍ଚଳ ପାଇଁ ରବିବାର ଦିନଟି ହେଲା ଏକ ଦୁଃଖଦ ଓ ରକ୍ତାକ୍ତ ଦିନ। କେବଳ ତିନି ଘଣ୍ଟାର ଅନ୍ତରାଳରେ ଘଟିଥିବା ଦୁଇଟି ପୃଥକ ବାଇକ ଦୁର୍ଘଟଣାରେ ଦୁଇଜଣ ଜୀବନ ହରାଇଥିବା ବେଳେ ଆଉ ଦୁଇଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ମୃତ୍ୟୁ ସଂଘର୍ଷ କରୁଛନ୍ତି। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦୀନବନ୍ଧୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ହାଇୱା ଗାଡ଼ି ରାସ୍ତାରେ ଠିଆ ଥିବା ବେଳେ ପଛପଟୁ ଆସୁଥିବା ପଲସର ବାଇକ ହଠାତ୍ ଭାରସାମ୍ୟ ହରାଇ ଜୋରଦାର ଭାବେ ଧକ୍କା ଦେଇଥିଲା। ଏହି ଭୟାବହ ଧକ୍କାରେ ବାଇକ ଚାଳକ ଘଟଣାସ୍ଥଳରେହିଁ ପ୍ରାଣ ହରାଇଥିଲେ। ମୃତକଙ୍କୁ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ବଡ଼ଗୁର୍ଜିଭଟା ଗ୍ରାମର ହୃଷୀ ମାଝୀ (୪୦) ବୋଲି ପରିଚୟ ମିଳିଛି। ତାଙ୍କ ସହ ଥିବା ଶିରୀଶ ସାହୁ ଗୁରୁତର ଆହତ ହୋଇ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ଏହା ପରେ ରାତି ପ୍ରାୟ ୮ଟା ସମୟରେ ଆଉ ଏକ ଦୁର୍ଘଟଣା ଘଟିଥିଲା। ଖପ୍ରାଖୋଲ ପଞ୍ଚାୟତର ୨ ନମ୍ବର ୱାର୍ଡ କୋଲପଡାର ଲେପା ମାଝୀଙ୍କ ଏକମାତ୍ର ପୁଅ ସୁରେନ୍ଦ୍ର ମାଝୀ (୧୯) କୋଲପଡାରୁ ଭାଲୁଡୁଙ୍ଗରି ଯାଉଥିବାବେଳେ ବାଇକର ଭାରସାମ୍ୟ ହରାଇ ଗଛରେ ଧକ୍କା ଲାଗିଥିଲା। ଘଟଣାରେ ସୁରେନ୍ଦ୍ର ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହଯାତ୍ରୀ ପ୍ରେମାନନ୍ଦ ନାଏକ ଗୁରୁତର ଆହତ ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଦୁଇ ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ହୃଷୀ ମାଝୀଙ୍କ ପରିବାର ବେସାହାରା ହୋଇପଡ଼ିଥିବା ବେଳେ ସୁରେନ୍ଦ୍ର ମାଝୀଙ୍କ ମୃତ୍ୟୁ ଘଟଣା ଆଉ ବି ହୃଦୟବିଦାରକ। ସେ ତାଙ୍କ ମାତାପିତାଙ୍କ ଏକମାତ୍ର ପୁଅ ଥିଲେ ଏବଂ ମାସେ ପରେ ତାଙ୍କ ବିବାହ ହେବାକୁ ଥିଲା। କିନ୍ତୁ ଭାଗ୍ୟର ନିର୍ମମ ଖେଳରେ ସେ ଚିରନିଦ୍ରାରେ ଲୀନ ହୋଇ ମାତାପିତାଙ୍କୁ ଏକାକୀ ଛାଡ଼ି ଚାଲିଗଲେ।ଏନେଇ ଖପ୍ରାଖୋଲ ଥାନାରେ କେସ ନଂ ୬୪/୨୦୨୬ ଓ ୬୫/୨୦୨୬ ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସହ ଗୋଟିଏ ହାଇୱା ଓ ଦୁଇଟି ବାଇକ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ବୋଲି ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଦୁର୍ଘଟଣାର ପ୍ରଧାନ କାରଣ ଭାବେ ଅତ୍ୟଧିକ ନିଶା ସେବନ କରି ବାଇକ ଚଳାଇବାକୁ ନେଇ ଆଲୋଚନା ଚାଲିଛି। ଏପରି ଦୁଃଖଦ ଘଟଣା ଆଉ ନ ହେଉ ଭାବେ ପୋଲିସ ସମସ୍ତଙ୍କୁ ସଚେତନ ଓ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ।
