ନୂଆଦିଲ୍ଲୀ: ଆମେରିକା ସେନା ଇରାନରେ ଜାରି ରଖିଥିବା ଅପରେସନ ଖୁବଶୀଘ୍ର ଶେଷ କରିବେ। ସମ୍ଭବତଃ ୨ରୁ ସପ୍ତାହ ମଧ୍ୟରେ ସବୁ କିଛି ଶେଷ ହେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ କହିବା କଥା ଯେ ଆମେରିକୀୟ ଅଧିକାରୀମାନେ ଇରାନ ସହ କଥାବାର୍ତ୍ତା ଜାରି ରଖିଥିବା ବେଳେ ଏୟାର ଷ୍ଟ୍ରାଇକ ବନ୍ଦ ହୋଇ ନାହିଁ। ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଯୁଦ୍ଧ ଯୋଗୁ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବ ସମ୍ପର୍କରେ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ଟ୍ରମ୍ପ କହିଛନ୍ତି, “ମୋତେ କେବଳ ଇରାନ ଛାଡ଼ିବାର ଅଛି। ଆଉ ଆମେ ଖୁବଶୀଘ୍ର ଏମିତି କରିବୁ। ସବୁ କିଛି ଗୋଟିଏ ଝଡ଼କାରେ ଖସିଯିବ। ଆମେ କାମ ଶେଷ କରିବାରେ ଲାଗିଛି। ମୋତେ ଲାଗୁଛି ୨ ସପ୍ତାହ କିମ୍ବା କିଛି ଦିନ ମଧ୍ୟରେ ସମ୍ଭବତଃ ସବୁ କାମ ଶେଷ ହୋଇଯିବ।” ଇରାନ ସହ ଡିଲ୍ ଉପରେ ଆମେରିକା ଅପରେସନଶେଷ କେବେ ହେଲେ ନିର୍ଭର କରୁ ନଥିବା ମଧ୍ୟ ଟ୍ରମ୍ପ କହିଛନ୍ତି। ସେ କହିଛନ୍ତି, “ସେମାନଙ୍କୁ ମୋ ସହ କୌଣସି ବୁଝାମଣା କରିବା ଦରକାର ନାହିଁ। ଯେତେବେଳେ ଆମକୁ ଲାଗିବ ସେମାନେ ଲମ୍ବା ସମୟ ଧରି ପୁରୁଣା ଯୁଗକୁ ଚାଲି ଯାଇଛନ୍ତି ଓ ପରମାଣୁ ଯୁଦ୍ଧାସ୍ତ୍ର ତିଆରି କରିବାକୁ ଆଉ ସକ୍ଷମ ନୁହନ୍ତି ସେତେବେଳେ ଆମେ ଇରାନ ଛାଡ଼ି ଦେବୁ। ବୁଝାମଣା ହେଉ କି ନ ହେଉ, ଏହା ଆମ ପାଇଁ ଆଦୌ ଗୁରୁତ୍ୱ ରଖେ ନାହିଁ।” ଷ୍ଟ୍ରେଟଅଫ ହର୍ମୁଜ ଯାଇ ବିଭିନ୍ନ ରାଷ୍ଟ୍ର ନିଜ ନିଜର ତେଲ ଆଣିବା କଥାକୁ ପୁଣି ଥରେ ଦୋହରାଇଛନ୍ତି ଟ୍ରମ୍ପ। ସେ କହିଛନ୍ତି, “ଯଦି ଫ୍ରାନ୍ସ କିମ୍ବା ଆଉ କିଛି ରାଷ୍ଟ୍ର ତେଲ କିମ୍ବା ଗ୍ୟାସ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ଷ୍ଟ୍ରେଟ ଅଫ ହର୍ମୁଜ ଯିବାକୁ ପଡ଼ିବ। ସେମାନଙ୍କୁ ସେଠାକୁ ହିଁ ଯିବାକୁ ହେବ। ସେମାନେ ନିଜ ପାଇଁ ନିଜେ ଲଢ଼ନ୍ତୁ। ଷ୍ଟ୍ରେଟ ଅଫ ହର୍ମୁଜରେ କ’ଣ ସବୁ ଘଟୁଛି, ସେଥିରେ ଆମର କିଛି ଯା’ଆସେ ନାହିଁ।”
