ଭଂଜନଗର : ମଧ୍ୟପ୍ରାଚ୍ୟ ଯୁଦ୍ଧର ଚଡ଼କ ପଡ଼ିଛି ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଉପରେ । ଏହାକୁ ନେଇ ସାଧାରଣରେ ଛନକା ସୃଷ୍ଟି ହୋଇଛି । ପେଟ୍ରୋଲ ଦର ବୃଦ୍ଧି ପାଇଛି । ବ୍ୟବସାୟିକ ରନ୍ଧନ ଗ୍ୟାସର ଅଭାବ ସୃଷ୍ଟି ହୋଇଛି । ହୋଟେଲ ରେଷ୍ଟୁରାଣ୍ଟ ପ୍ରାୟତଃ ବନ୍ଦ ହୋଇଛି । ଯାହାକୁ ନେଇ ହାଣ୍ଡିଶାଳର ରନ୍ଧନ ଗ୍ୟାସ କୁ ନେଇ ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି । କେଉଁଠି ଗ୍ୟାସ ପାଇଁ ଲମ୍ବା ଧାଡ଼ି ଲାଗୁଛି । ପୁଣି କେଉଁଠି ଗ୍ୟାସ ମିଳିବାରେ ବିଳମ୍ବ ହେଉଛି । ଏହାରି ଭିତରେ, ରୋଷେଇ ଘରେ ବିକଳ୍ପ ବ୍ୟବସ୍ଥା କୁ ଆପଣେଇବାରେ ଲାଗିଛନ୍ତି, ଗୃହିଣୀ ମାନେ । ରନ୍ଧନ ସମସ୍ୟାକୁ ଆଖି ଆଗରେ ରଖି କାଠ-ଚୁଲି ପ୍ରତି ଗୁରୁତ୍ୱ ଦେଉଛନ୍ତି । ହେଲେ ଘରର ସିମେଣ୍ଟ ଚଟାଣରେ ମାଟି ଚୁଲି କରି ରୋଷେଇ କରିବା ସମ୍ଭବ ହେଉନାହିଁ । ଯାହା ଫଳରେ ମାଟିରେ ତିଆରି ପୋଡ଼ା କାଠ-ଚୁଲି ଏକମାତ୍ର ମାଧ୍ୟମ ପାଲଟିଛି । ଏଥିପାଇଁ ବିଭିନ୍ନ ସ୍ଥାନର କୁମ୍ଭକାର ପରିବାର ମାନେ ଏବେ ମାଟି-ଚୁଲି କରିବାରେ ବ୍ୟସ୍ତ । ଗ୍ରାହକ ମାନେ ମଧ୍ୟ, ମାଟିଚୁଲି କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଗ୍ୟାସ ପାଇଁ କାଉଣ୍ଟର ଆଗରେ ଜମୁଥିବା ଗହଳି, ଏବେ କୁମ୍ଭକାର ସାହି ମାନଙ୍କରେ ଦେଖିବାକୁ ମିଳୁଛି । ବିଶେଷ କରି ବେଲଗୁଣ୍ଠା ବ୍ଳକର ନେଟେଙ୍ଗା ଓ ରତ୍ନପୁର ଗାଁର କୁମ୍ଭକାର ପରିବାର ମାନେ, ଏବେ ମାଟି ଚୁଲି ପ୍ରସ୍ତୁତ କରିବାରେ ବ୍ୟସ୍ତ ରହୁଛନ୍ତି । ଏହି ଚୁଲି ରେ କାଠ ଆବଶ୍ୟକ ହେଉଥିବାରୁ, ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କୁ, ଜାଳ-କାଠ ସଂଗ୍ରହ କରିବାକୁ ପଡୁଛି । ରନ୍ଧନ ଗ୍ୟାସ କୁ ନେଇ ଆଶଙ୍କା ବଢ଼ୁଥିବାରୁ, କାଠ-ଚୁଲି ଏବେ ବିକଳ୍ପ ହୋଇଥିବା ବେଳେ, ଏହି ଚୁଲି ପାଇଁ କାଠ ସମସ୍ୟା ମଧ୍ୟ ବଢ଼ିବା ଆଶଙ୍କା ରହିଛି । ଅନ୍ୟପକ୍ଷରେ ଘରୋଇ ରନ୍ଧନ ଗ୍ୟାସର କୈ।ଣସି ଅଭାବ ନାହିଁ ବୋଲି, ଗ୍ୟାସ ବିତରକ ସଂଘର ଉପଦେଷ୍ଟା କହିଛନ୍ତି । ଗତ ଦିନରେ କରୋନା ମହାମାରୀ ଏବଂ ବର୍ତ୍ତମାନ ସମୟରେ ଯୁଦ୍ଧ ପରିସ୍ଥିତି । ସାଧାରଣ ଲୋକଙ୍କ ଜୀବନଶୈଳୀକୁ ଅନେକାଂଶରେ ପ୍ରଭାବିତ କରିଛି । ସମସ୍ୟା ସୃଷ୍ଟି ହୋଇଛି ଏବଂ ସମାଧାନ ର ବାଟ ବି’ ଦେଖାଇଛି । ଯାହାକି ଗ୍ୟାସ ଅଭାବ ଜନିତ ଆଶଙ୍କା କୁ ନେଇ କାଠ-ଚୁଲିର ଆବିର୍ଭାବ ।
