କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନ ବିଶ୍ୱନାଥପୁର ରେଞ୍ଜ ତଥା ବିଜେପୁର ସେକ୍ସନ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ଦୁର୍ଗମ ଘୋଡ଼ାପୋଖରୀ ଗାଁରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିଚାଲିଛି । ଗାଁର ଧନୁର୍ଯ୍ୟ ହରିଜନଙ୍କ ଘରକୁ ବିଳମ୍ବିତ ରାତିରେ ହାତୀପଲ ଆକ୍ରମଣ କରି ଭାଙ୍ଗିଦେଇଛନ୍ତି। ଘରର ଛପର ଓ ବିଭିନ୍ନ ଅଂଶ ନଷ୍ଟ ହେବା ସହ ଘର ଭିତରେ ଥିବା ଖାଦ୍ୟଶସ୍ୟ ଓ ଘରୋଇ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି। ରାତିରେ ଧଡେଲ ଜଙ୍ଗଲ ଅଞ୍ଚଳରୁ ଏକ ଦାନ୍ତା ହାତୀ ସମେତ ହାତୀପଲ ଗାଁ ମୁହାଁ ହୋଇଥିଲେ । ହାତୀଙ୍କ ଗର୍ଜନ ଓ ଘର ନିକଟରେ ଚଳପ୍ରଚଳ ଶବ୍ଦ ଶୁଣି ପରିବାର ଲୋକେ ଭୟଭୀତ ହୋଇ ଜୀବନ ବଞ୍ଚାଇବା ପାଇଁ ଘର ଛାଡ଼ି ନିକଟସ୍ଥ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ। ଫଳରେ ବଡ଼ ଅଘଟଣରୁ ପରିବାର ବର୍ତ୍ତୀ ଯାଇଥିଲେ । ହାତୀପଲ ଘର ଭାଙ୍ଗିବା ସହ ଘରେ ରଖାଯାଇଥିବା ଧାନ,ଚାଉଳ, ମାଣ୍ଡିଆ, ବିରି ଆଦି ଖାଦ୍ୟଶସ୍ୟକୁ ମାଡ଼ି ଚକଟି ନଷ୍ଟ କରିଦେଇଥିବା ଦେଖାଯାଇଥିଲା । ଘରର ଆସବାବପତ୍ର ନଷ୍ଟ ହୋଇଲା । ଘଟଣା ପରେ ହାତୀପଲ ଘୋଡ଼ାପୋଖରୀ ଗାଁ ନିକଟସ୍ଥ ଜଙ୍ଗଲରେ ରହିଥିବା ଜଣାପଡ଼ିଛି। ଫଳରେ ବେନଗାଁରୁ ଲାଞ୍ଜିଗଡ଼ ଦେଇ ଯାତାୟାତ କରୁଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ରାତିରେ ଏହି ରାସ୍ତାରେ ଯାତାୟାତ କରିବାକୁ ଲୋକେ ଭୟ କରୁଥିବା ଦେଖାଯାଇଛି। ଖବରପାଇ ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିବା ବେଳେ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଯାଞ୍ଚ କରିଛନ୍ତି ।
