ବାରିପଦା /ସାହାରପଡ଼ା ; କେନ୍ଦୁଝର ଜିଲ୍ଲା, ପାଟଣା ଥାନା, ସାହାରପଡ଼ା ଫାଣ୍ଡି ଅଞ୍ଚଳର ମାଛଗଡ଼ ଗ୍ରାମ ପଞ୍ଚାୟତ ଦୁଧନାଳି ଗ୍ରାମରେ ଅଘଟଣ। ହାଟ ସାରି ଘରକୁ ଫେରୁଥିବା ବେଳେ ଧିରୋଳ ନଦୀ ପାର ହେବା ସମୟରେ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିବା ପାଣ୍ଡୁ ମୁଣ୍ଡାଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଦୁଧନାଳି ଗ୍ରାମର ଗବରା ମୁଣ୍ଡାଙ୍କ ପୁଅ ପାଣ୍ଡୁ ମୁଣ୍ଡା ମଙ୍ଗଳବାର ହାଟକୁ ଯାଇଥିଲେ। ସନ୍ଧ୍ୟାରେ ହାଟ ସାରି ଘରକୁ ଫେରୁଥିବା ସମୟରେ ଧୀରୋଳ ନଦୀ ପାର ହେଉଥିବା ବେଳେ କୌଣସି କାରଣରୁ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ବୁଧବାର କଣ୍ଟିଡିହା ଗ୍ରାମ ନିକଟ ସ୍ଥ ଏହି ନଦୀ ମଧ୍ୟରେ ମୃତଦେହ ଭାସୁଥିବାର ଗ୍ରାମବାସୀ ମାନେ ଦେଖି ସାହାରପଡ଼ା ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ଏସ୍ଆଇ ପଞ୍ଚମୀ ମହାନ୍ତଙ୍କ ସମେତ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ କରଞ୍ଜିଆ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଏହି ଅଘଟଣ ଘଟିଥିବା ର ଜଣାପଡ଼ିଛି।
