ପିପିଲି : ପିପିଲିରେ ପୁରୀ ଜିଲ୍ଲା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ବଡ଼ ଧରଣର ଚଢ଼ାଉ । ବିନା ଲାଇସେନ୍ସରେ ଔଷଧ ବିକ୍ରି ଏବଂ ନକଲି ଓ ଏକ୍ସପାୟାରୀ ଔଷଧ ବିକ୍ରି ଅଭିଯୋଗକୁ ନେଇ ଆଜି ଦୁଇ ମେଡିସିନ୍ ଦୋକାନରେ ଯାଞ୍ଚ କରାଯାଇଛି । ଯାଞ୍ଚ ସମୟରେ ୨୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧ ଜବତ କରାଯାଇଥିବା ସୂଚନା ମିଳିଛି । ପିପିଲି ପୋପରଙ୍ଗା ଆନନ୍ଦ ବଜାରରେ ଥିବା ମନମୋହନ ଜେନା ଙ୍କ ଏକ ମେଡିସିନ୍ ଦୋକାନରେ ଆଜି ହଠାତ୍ ପହଞ୍ଚିଥିଲେ ପୁରୀ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ୫ ଜଣିଆ ଅଧିକାରୀ ଟିମ୍ । ବିଶେଷ ସୂତ୍ରରୁ ଅଭିଯୋଗ ପାଇବା ପରେ ଏହି ଚଢ଼ାଉ କରାଯାଇଥିଲା । ପୋଲିସ ଉପସ୍ଥିତିରେ ଦୋକାନରେ ଚାଲିଥିଲା ଘନଘନ ଯାଞ୍ଚ ।

ଔଷଧ ବିକ୍ରି ପାଇଁ ଆବଶ୍ୟକ ଲାଇସେନ୍ସ ରହିଛି କି ନାହିଁ, ଔଷଧର ଗୁଣବତ୍ତା, ଏକ୍ସପାୟାରୀ ତାରିଖ ଏବଂ ବିକ୍ରି ସମ୍ପର୍କିତ କାଗଜପତ୍ରକୁ ଯାଞ୍ଚ କରିଥିଲେ ଡ୍ରଗ୍ସ କଣ୍ଟ୍ରୋଲ ଅଧିକାରୀ । ଯାଞ୍ଚ ବେଳେ ଦୋକାନରୁ ୨୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧ ଜବତ କରାଯାଇଥିବା ଅଧିକାରୀ କହିଛନ୍ତି। ବିନା ଲାଇସେନ୍ସରେ ଔଷଧ ବିକ୍ରି ଏବଂ ଔଷଧ ସମ୍ପର୍କରେ ଆବଶ୍ୟକ ଧାରଣା ନଥାଇ ବେପାର କରାଯାଉଥିବା ଅଭିଯୋଗରେ ଏହି ଔଷଧଗୁଡ଼ିକୁ ଜବତ କରି ସିଜ୍ କରାଯାଇଛି । ତେବେ ଜବତ ହୋଇଥିବା ଔଷଧ ମଧ୍ୟରେ ନକଲି କିମ୍ବା ଏକ୍ସପାୟାରୀ ଔଷଧ ରହିଛି କି ନାହିଁ, ତାହା ଅଧିକ ଯାଞ୍ଚ ପରେ ସ୍ପଷ୍ଟ ହେବ ।

ଔଷଧ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ସାମଗ୍ରୀର ବେଆଇନ ବିକ୍ରି ଉପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଏହି ଚଢ଼ାଉ ପରେ ଅନ୍ୟ ଔଷଧ ଦୋକାନୀଙ୍କ ମଧ୍ୟରେ ମଧ୍ୟ ଛନକା ପଶିଛି । ଏପରିକି ଏହି ଚଢ଼ାଉ ଆହୁରି ଅନେକ ଯାଗାରେ କରାଯିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅଧିକାରୀ ଡକ୍ଟର ସୁଦର୍ଶନ ବିଶ୍ୱାଳ କହିଛନ୍ତି। ତେବେ ଜବତ ଔଷଧର ଯାଞ୍ଚ ପରେ କେଉଁ ପ୍ରକାରର ଔଷଧ ମିଳିଛି ଏବଂ ଦୋକାନ ବିରୋଧରେ କେଉଁ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।
