ବାରିପଦା; ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗ ଫାଣ୍ଡି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅନିୟମିତତା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନରେ ଥିବା ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ଇଝଓ ଭୀମସେନ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ, ଚିତ୍ରଡା ଅଞ୍ଚଳରେ ମଦ ମାଫିଆଙ୍କ ସହ ଫାଣ୍ଡି ଅଧିକାରୀଙ୍କ ସମ୍ପର୍କକୁ ନେଇ ଏକ ଅଡିଓ ଭାଇରାଲ ହୋଇଥିଲା। ଏହି ଅଡିଓ ଭାଇରାଲ ହେବା ପରେ ଘଟଣାଟି ପୋଲିସ ବିଭାଗର ନଜରକୁ ଆସିଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ଏହାର ତଦନ୍ତ କରାଯାଇଥିବା ଜଣାପଡ଼ିଛି। ତଦନ୍ତ ପରେ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱ ପାଳନରେ ତ୍ରୁଟି ଥିବା ଅଭିଯୋଗରେ ମୟୂରଭଞ୍ଜ ଏସ୍ପି ବରୁଣ ଗୁଣ୍ଡୁପାଲି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏ ଏସ ଆଇ ଭୀମସେନ ମଲ୍ଲିକଙ୍କୁ ନିଲମ୍ବନ କରିଥିବାର ସୂଚନା ମିଳିଛି। ଏହି ଘଟଣା ପରେ ପୋଲିସ ବିଭାଗରେ ଚର୍ଚ୍ଚା ଜୋର ଧରିଛି। ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଜଣେ ପୋଲିସ ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ଘଟଣାକୁ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଭାଇରାଲ ହୋଇଥିବା ଅଡିଓର ସମ୍ପୂର୍ଣ୍ଣ ସତ୍ୟତା ଏବଂ ଏହା ପଛରେ ଥିବା ସମସ୍ତ ତଥ୍ୟ ସମ୍ପର୍କରେ ଅଧିକାରିକ ତଦନ୍ତର ଫଳାଫଳ ହିଁ ଅନ୍ତିମ ସତ୍ୟ ସ୍ପଷ୍ଟ କରିବ। ନିଲମ୍ବନ ପରେ ମାମଲାରେ ଆଗକୁ କଣ କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଉପରେ ଏବେ ନଜର ରହିଛି।
