ବାରିପଦା /ସାହାରପଡ଼ା ; କେନ୍ଦୁଝର,ମୟୂରଭଞ୍ଜ ସୀମାନ୍ତ ଦେଇ ପ୍ରବାହିତ ଦେଓ ନଦୀ ଏବେ ଭୟଙ୍କର ରୂପ ଧାରଣ କରିଛି। ନଦୀରେ ପ୍ରବଳ ଜଳପ୍ରବାହ ଜାରି ରହିଥିବା ବେଳେ ସୋମବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ପୋଲ ଉପରୁ ନଦୀକୁ ଡେଇଁଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧୀନ ସାହାରପଡ଼ା ଫାଣ୍ଡି ଅଞ୍ଚଳର ଗୋରାଣ୍ଡିଯୋଡ଼ି ଗ୍ରାମର ରାଜ ନାଏକ ମୟୂରଭଞ୍ଜ ପଟେ ଥିବା ଦେଓ ନଦୀ ପୋଲ ଉପରେ ନିଜ ସାଇକେଲ ଓ ଚପଲ ରଖି ନଦୀକୁ ଡେଇଁଥିବା ର ଜଣାପଡ଼ିଛି। ସେ ନିଶାଶକ୍ତ ଅବସ୍ଥାରେ ଥିବା ମଧ୍ୟ ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ସାହାରପଡ଼ା ଫାଣ୍ଡିର ଏଏସ୍ଆଇ ପଞ୍ଚମୀ ମହାନ୍ତଙ୍କ ସମେତ କରଞ୍ଜିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଦେଓ ନଦୀରେ ପ୍ରବଳ ଜଳପ୍ରବାହ ଓ ଅଶାନ୍ତ ପରିସ୍ଥିତି ମଧ୍ୟରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସାହସିକତାର ସହ ଉଦ୍ଧାର କାର୍ଯ୍ୟ କରି ରାଜ ନାଏକଙ୍କୁ ଉଦ୍ଧାର କରିଥିଲେ। ପରେ ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପଟେ ଦେଓ ନଦୀରେ ଭୟଙ୍କର ଜଳପ୍ରବାହ ଜାରି ରହିଥିବା ସମୟରେ ପୋଲ ଉପରୁ ନଦୀକୁ ଡେଇଁବା ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ଏଭଳି ସମୟରେ ନଦୀ ନିକଟକୁ ଯିବା କିମ୍ବା ପ୍ରବଳ ସ୍ରୋତରେ ପ୍ରବେଶ କରିବା ଅତ୍ୟନ୍ତ ବିପଦଜନକ। ତେଣୁ ପୋଲର ଉଭୟ ପାର୍ଶ୍ୱରେ ପୁଲିସ ଓ ପ୍ରଶାସନ ପକ୍ଷରୁ ନଜରଦାରୀ ବଢ଼ାଇବା ସହ ଲୋକଙ୍କୁ ନଦୀ ନିକଟକୁ ନଯିବା ପାଇଁ ସଚେତନ କରିବାକୁ ସାଧାରଣରେ ଦାବି ହୋଇଛି।
