ବାରିପଦା; ଲଗାଣ ବର୍ଷାର ପ୍ରଭାବରେ ମାଟି ଧସି ବାରିପଦା ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯିବା ଫଳରେ ରେଳ ବିଭାଗ ପକ୍ଷରୁ ଏହି ରୁଟରେ ରେଳ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଏଣୁ ବାଙ୍ଗରିପୋଷୀ ପୁରୀ ସୁପରଫାଷ୍ଟ ଟ୍ରେନ ସହ ଡ଼ିଏମୟୁ ଟ୍ରେନ ଯାଇପାରିନାହିଁ । ଟ୍ରେନ ହଠାତ ବାତିଲ ହେବା ଫଳରେ ଯାତ୍ରୀମାନେ ସକାଳେ ସକାଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସକାଳୁ ସକାଳୁ ବାରିପଦା ଭୁବନେଶ୍ୱର ବସ ଗୁଡିକରେ ଆଜି ଖଚାଖଚ ଭିଡ଼ ପରିଲକ୍ଷିତ ହୋଇଛି । ସୂଚନା ଅନୁଯାୟୀ, ରବିବାର ରାତି ପୁରୀ-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ ବାଙ୍ଗିରିପୋଷି ଯିବା ପରେ ରାତିରେ ଡିଏମ୍ୟୁ ଟ୍ରେନ ଯାତାୟାତ ସମୟରେ ରେଳଧାରଣା ଦବି ଯାଇଥିବାର ଜଣାପଡ଼ିଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ରେଳ ମେଣ୍ଟେନାନ୍ସ ବିଭାଗ ପକ୍ଷରୁ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି । ମଧ୍ୟରାତ୍ରିରୁ ରେଳ କର୍ମଚାରୀ ମାନେ ଘଟଣା ସ୍ଥଳରେ ରହି ମରାମତି କାମ ଜାରି ରଖିଛନ୍ତି । ଅନ୍ୟପକ୍ଷରେ, ରେଳଧାରଣା ତଳେ ଥିବା ମାଟି ଏବେ ମଧ୍ୟ ଦବିଯାଉଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି । ଯଦି ସମୟୋଚିତ ଭାବେ ଏହି ତ୍ରୁଟି ଚିହ୍ନଟ ହୋଇନଥାନ୍ତା, ତେବେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଥାନ୍ତା ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି । ବର୍ତ୍ତମାନ ରେଳଧାରଣାର ମରାମତି ସହ ଟ୍ରାକର ସ୍ଥିତି ଯାଞ୍ଚ କରାଯାଉଛି । ମରାମତି ସମ୍ପୂର୍ଣ୍ଣ ହେବା ପରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି ।
