ବାରିପଦା; ମୟୂରଭଞ୍ଜ ଜିଲ୍ଲାରେ ଗତ ୧୩ ତାରିଖରୁ ଲଗାଣ ବର୍ଷା ଜାରି ରହିଥିବାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନର ତଥ୍ୟ ଅନୁଯାୟୀ, ୨୨ଟି ବ୍ଲକ, ୫୪ଟି ଗ୍ରାମ ପଞ୍ଚାୟତ, ୧୨୬ଟି ଗାଁ ଏବଂ ବାରିପଦା ପୌରାଞ୍ଚଳର ୮ଟି ୱାର୍ଡ ପ୍ରଭାବିତ ହୋଇଛି । ମୋଟ ୨୭,୯୮୧ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୬,୭୪୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାରେ ମୋଟ ୨୩୮୪.୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ହାରାହାରି ବର୍ଷା ୯୧.୭୨ ମିଲିମିଟର ରହିଛି । ବଡ଼ସାହିରେ ୧୩୫ ମିମି, ବେତନଟୀରେ ୧୧୩ ମିମି, ଉଦଳାରେ ୧୨୫.୮ ମିମି, କପ୍ତିପଦାରେ ୧୩୮ ମିମି, କୁସୁମୀରେ ୧୪୪ ମିମି, ଯଶିପୁରରେ ୧୩୫ ମିମି, କରଞ୍ଜିଆରେ ୧୬୪ ମିମି, ସୁକୃଳିରେ ୧୩୪ ମିମି ଏବଂ ରରୁଆଁରେ ୧୩୦ ମିମି ବର୍ଷା ରେକର୍ଡ ହୋଇଛି । ବନ୍ୟା ଓ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ୧୨ଟି ମେଡିକାଲ ଟିମ, ୩ଟି ପଶୁଚିକିତ୍ସା ଟିମ, ୨ଟି ଓଡ୍ରାଫ ଟିମ, ଗୋଟିଏ ଏନଡିଆରଏଫ ଟିମ, ୧୩ଟି ଅଗ୍ନିଶମ ଟିମ ଏବଂ ୨୬ଟି ପୋଲିସ ଓ ସ୍ଥାନୀୟ ଟିମ ନିୟୋଜିତ ହୋଇଛନ୍ତି । ନଦୀ ଗୁଡ଼ିକର ଜଳସ୍ତର ଉପରେ ମଧ୍ୟ ନଜର ରଖା ଯାଇଛି । ସକାଳ ୯ଟାରେ ବାରିପଦା-ପୋଡାଆସ୍ତିଆ ଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୨୫.୫୦ ମିଟର ରହିଥିଲା ବେଳେ ସତର୍କ ସୀମାଠାରୁ ତଳେ ରହିଛି । ରାଜଘାଟ ଠାରେ ବୁଢ଼ାବଳଙ୍ଗର ଜଳସ୍ତର ୭.୪୪ ମିଟର ରହିଥିବା ବେଳେ ବିପଦ ସୀମାଠାରୁ ତଳେ ରହିଛି । ତେବେ ଜଳକା ନଦୀର ଜଳସ୍ତର ୬.୫୨ ମିଟର ରହି ବିପଦ ସୀମା ଉପରେ ରହିଛି । ରାଜଘାଟ ଠାରେ ସୁବର୍ଣ୍ଣରେଖାର ଜଳସ୍ତର ୮.୭୨ ମିଟର ରହି ସତର୍କ ସୀମାଠାରୁ ତଳେ ରହିଛି ।
ସେହିପରି ଜିଲ୍ଲାରେ ୩୯ଟି ମାଗଣା ରୋଷେଇ କେନ୍ଦ୍ର ଓ ରିଲିଫ ସେଣ୍ଟର ଚାଲୁ ରହିଛି । ଏହି କେନ୍ଦ୍ର ଗୁଡ଼ିକରେ ୨୬,୭୪୧ ଜଣଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଛି । ଏଥିସହ ୩୯.୭୪ କ୍ୱିଣ୍ଟାଲ ଚୁଡ଼ା ଏବଂ ୬.୪୧ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି । ରାସଗୋବିନ୍ଦପୁର ବ୍ଲକର ଗୋଟିଏ ଗାଁ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀ ଅବସ୍ଥାରେ ରହିଛି । ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନିରନ୍ତର ନଜର ରଖିବା ସହ ଲୋକଙ୍କ ସୁରକ୍ଷା ଓ ରିଲିଫ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଜାରି ରଖିଛି । ଲଘୁଚାପ ଜନିତ ଲଗାଣ ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଭୟର ବାତାବରଣ ଦୂର ହୋଇଛି । ଜିଲ୍ଲାରେ ବର୍ଷାର ପରିମାଣ କମିଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ ସୂଚନା ଦେଇଛନ୍ତି । ଜନସାଧାରଣ ଆତଙ୍କିତ ନହେବାକୁ ସେ ନିବେଦନ କରିଛନ୍ତି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ୧୬ ଓ ୧୭ ତାରିଖ ପାଇଁ ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଜାରି ହୋଇଥିଲା । ବିଶେଷ କରି ପଶ୍ଚିମ ମୟୂରଭଞ୍ଜର କରଞ୍ଜିଆ ଉପଖଣ୍ଡ ସମେତ ଠାକୁରମୁଣ୍ଡା ଓ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଶିମିଳିପାଳ ଉପରମୁଣ୍ଡରେ ଗତକାଲି ରାତିରେ ପ୍ରାୟ ୧୨୮ ମିମି ବର୍ଷା ରେକର୍ଡ କରାଯାଇଥିଲେ ହେଁ ସକାଳୁ ବର୍ଷା କମିଛି । ଫଳରେ ବାରିପଦା ପୌରାଞ୍ଚଳ କିମ୍ବା ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ନାହିଁ । ସେହିପରି ଶିମିଳିପାଳ ଓ ଗୁରୁଗୁଡ଼ିଆ ଅଞ୍ଚଳର ବର୍ଷା ପାଣି ଦେଓ ନଦୀ ଦେଇ ବୈତରଣୀକୁ ନିଷ୍କାସିତ ହେଉଛି । ଡୁକୁରା ଓ ଖୁଣ୍ଟା ଅଞ୍ଚଳରେ ବର୍ଷା ଯୋଗୁଁ ଗଙ୍ଗାହାର ନଦୀ ଫୁଲିଛି । ବାରିପଦା ପୌରାଞ୍ଚଳରୁ ଜଳବନ୍ଦୀ ସମସ୍ୟା ଦୂର ହୋଇଛି । ଶୁନଗଡିଆ ଅଞ୍ଚଳରେ ରେଳ ଧାରଣା ପ୍ରାୟ ୫୦ ମିଟର ଦବିଯାଇଥିବାରୁ ଏସ.ପି.ଙ୍କ ସହ ଜିଲ୍ଲାପାଳ ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ କୃଷି ସର୍ଭେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଘରଭଙ୍ଗା ଓ ରିଲିଫ ସହାୟତା ରାଶି ତୁରନ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ।
