ବାରିପଦା ; କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଗୋରୁ ବେପାରୀ ସକ୍ରିୟ ହୋଇଥିବା ନେଇ ଅଭିଯୋଗ ମଧ୍ୟରେ ଗୋରୁ ବୋଝେଇ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୭ଟି ବଳଦର ମୃତ୍ୟୁ ଘଟିଛି। ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ଥାନା ଅଞ୍ଚଳର ହାଣ୍ଡିଫୁଟା ଛକ ନିକଟରେ ଘଟିଛି।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୩ଟା ସମୟରେ ଠାକୁରମୁଣ୍ଡା ପୋଲିସ ପକ୍ଷରୁ ଅଞ୍ଚଳରେ କଡା କଡ଼ି ପେଟ୍ରୋଲିଂ ଚାଲିଥିଲା ।ଏହି ସମୟରେ ପୋଲିସ ଗାଡି କୁ ଦେଖି ଗୋରୁ ବୋଝେଇ କଣ୍ଟେନର ର ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ଦ୍ରୁତ ଗତି ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇ ଆନନ୍ଦପୁର-କରଞ୍ଜିଆ ୫୩ ନମ୍ବର ରାଜ୍ୟ ରାଜପଥର ତରାମରା ପଞ୍ଚାୟତ ର ହାଣ୍ଡିଫୁଟା ଛକ ନିକଟରେ ରାସ୍ତା ତଳକୁ ଓଲଟି ପଡ଼ିଥିଲା କଣ୍ଟେନର । ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ମହିନ୍ଦ୍ରା ଭୀର ବୋଲି ଜଣାପଡ଼ିଥିବା ବେଳେ ଏହାର ନମ୍ବର ଙଊ ୨୯ ଛ ୭୮୯୧ ବୋଲି ଜଣାପଡିଛି । ଗାଡ଼ିରେ ମୋଟ ୧୪ ଟି ବଳଦ ରହିଥିବା ବେଳେ ଦୁର୍ଘଟଣାରେ ୭ଟି ବଳଦର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ବଳଦଗୁଡ଼ିକୁ ଜଙ୍ଗଲ ରେ ଓ ନିକଟରେ ଥିବା ଗାଁ ରୁ ଉଦ୍ଧାର କରାଯାଇଥିବା ର ଜଣାପଡ଼ିଛି।ଘଟଣା ପରେ ଗାଡ଼ିର ଚାଳକ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।ଠାକୁରମୁଣ୍ଡା ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ବଳଦଗୁଡ଼ିକୁ ଠାକୁରମୁଣ୍ଡା ଥାନାକୁ ଆଣି ରଖିଛି। ମୃତ ବଳଦ ଗୁଡ଼ିକୁ ତରାମରା ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀଙ୍କ ସହଯୋଗ ରେ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଜେସିବି ମେସିନ୍ ସହାୟତାରେ ପୋତି ଦିଆଯାଇଥିଲା। ଘଟଣାସ୍ଥଳରେ ଠାକୁରମୁଣ୍ଡା ଭ୍ରାମ୍ୟମାଣ ପଶୁଚିକିତ୍ସା ୟୁନିଟ୍ ର ଡାକ୍ତର ପ୍ରୀତିପ୍ରସନ୍ନ ସାହୁ ଉପସ୍ଥିତ ରହି ଉଦ୍ଧାର ହୋଇଥିବା ପଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଠାକୁରମୁଣ୍ଡା ଥାନା ଆଇଆଇସି ଶରତ ଚନ୍ଦ୍ର ମହାଳିକ, ଏଏସଆଇ ଅମରେନ୍ଦ୍ର ବାରିକଙ୍କ ସମେତ ଥାନାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏନେଇ ଠାକୁରମୁଣ୍ଡା ଥାନା ପୋଲିସ କେସ୍ ନମ୍ବର ୧୦୧/୨୬ ମୂଳେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଗାଡ଼ିର ଚାଳକ କିଏ ଏବଂ ଏହି ଗୋରୁଗୁଡ଼ିକ କେଉଁଠାରୁ କେଉଁଆଡ଼େ ନିଆଯାଉଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣା ପରେ ଅଞ୍ଚଳରେ ଗୋରୁ ଚାଲାଣକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ତଦନ୍ତ ପରେ ଏହାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
