ପୁରୀ: ଶ୍ରାବଣ ମାସ ତୃତୀୟ ସୋମବାର । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ କାଉଡିଆ ଭକ୍ତ ଜଳାଭିଷେକ କରିଛନ୍ତି । କାଉଡିଆ ଭକ୍ତ ମାନେ ଜିଲ୍ଲା ବାହାର ଓ ଜିଲ୍ଲାର ଆଖପାଖ ବିଭିନ୍ନ ଜଳାଶୟରୁ ଆଣିଥିବା ପବିତ୍ର ଜଳ ବାବା ଶ୍ରୀଲୋକନାଥ ଦେବଙ୍କୁ ଲାଗି କରିଛନ୍ତି ।ବାବା ଶ୍ରୀଲୋକନାଥଙ୍କ ମଙ୍ଗଳଆଳତି ଓ ଅବକାଶ ପରେ ରାତି ୧୨ଟାରୁ ବୋଲବମ ଭକ୍ତ ମାନେ ଜଳଲାଗି ପାଇଁ ପ୍ରବେଶ କରିଥିଲେ । ବୋଲବମ ହରେ ହରେ ବମ୍ ,ଓଁ ନମଃ ଶିବାୟ, ହର ହର ମହାଦେବ, ଜୟ ବାବା ଶ୍ରୀଲୋକନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିସର । ରବିବାର ଅପରାହ୍ନରୁ ବହୁ ବୋଲବମ ଭକ୍ତ ଶ୍ରୀଲୋକନାଥଙ୍କ ପୀଠରେ ଅସ୍ଥାୟୀ ବିଶ୍ରାମସ୍ଥଳରେ ଆଶ୍ରୟ ନେଇଥିଲେ ।

ଭୁବନେଶ୍ୱର ପାର୍ଶ୍ୱରୁ ଆସୁଥିବା ବୋଲବମ ଭକ୍ତମାନେ ବାଟମଙ୍ଗଳା, ଅଠରନଳା ଦେଇ ପୁରୀକୁ ପ୍ରବେଶ କରିଥିଲେ । ସେହିପରି ପୁରୀ ବାଇପାସ ମଙ୍ଗଳଘାଟ ଛକ ଦେଇ ଅନେକ ବୋଲବମ ଭକ୍ତ ଲୋକନାଥଙ୍କ ପୀଠକୁ ଯାଇଥିଲେ । ବୋଲବମ ଭକ୍ତ ମାନେ ବ୍ଯାରିକେଡ ଭିତରେ ଧାଡିରେ ଯାଇ ପାର୍ବତୀ ସାଗରକୁ ଲାଗିଥିବା ରୋଷଘର ଦ୍ୱାର ବାଟ ଦେଇ ଲାଗି କୂଅ ନିକଟ ଲକ୍ଷ୍ମୀ ଦ୍ୱାର ନିକଟ ସ୍ଥାପିତ ଶ୍ରୀଲୋକନାଥଙ୍କ ଲିଙ୍ଗରେ ପାଣି ଢାଳିବା ପରେ ସିଂହଦ୍ୱାର ଦେଇ ବାହାରକୁ ବାହାରିଥିଲେ । ବାବା ଲୋକନାଥଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜଳଲାଗି ପାଇଁ ସମସ୍ତ ବ୍ଯବସ୍ଥା ଗ୍ରହଣ କରାଯାଇଛି ।

ବୋଲବମ ଭକ୍ତଙ୍କ ସୁରକ୍ଷା ସୁବିଧା ଓ ଶୃଙ୍ଖଳିତ ଦର୍ଶନ ବ୍ଯବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ଯାପକ ସୁରକ୍ଷା ଓ ଟ୍ରାଫିକ ପରିଚାଳନା କରାଯାଇଥିଲା । ମନ୍ଦିର ପରିସର ଓ ପ୍ରମୁଖ ରାସ୍ତାଗୁଡ଼ିକରେ ପୋଲିସ ମୁତୟନ କରାଯିବା ସହ ଭକ୍ତ ମାନଙ୍କ ଶୃଙ୍ଖଳିତ ଧାଡି ଦର୍ଶନ ଓ ଜଳଲାଗି ପାଇଁ ବ୍ଯାପକ ବନ୍ଦୋବସ୍ତ କରାଯାଇଥିଲା ।
