ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ହରିଶଙ୍କରଠାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା ପରେ ଜଣେ ମହିଳା ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ବରପଦର ଗ୍ରାମର ସୁମିତ୍ରା କର୍ମୀ (୫୬) ରବିବାର ନିଜ ପରିବାର ସଦସ୍ୟ ଓ ପଡ଼ୋଶୀମାନଙ୍କ ସହ ହରିଶଙ୍କର ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ପୂଜାର୍ଚ୍ଚନା ସାରି ପ୍ରାୟ ଦିନ ୨ଟା ସମୟରେ ମନ୍ଦିର ପରିସରରେ ଥିବାବେଳେ ହଠାତ୍ ସେ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ଓ ସାଥିରେ ଥିବା ବ୍ୟକ୍ତିମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ ମଧ୍ୟ ଶେଷରେ ସୁମିତ୍ରାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖପ୍ରାଖୋଲ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ମୃତାଙ୍କ ପୁଅ ବିକ୍ରମ କର୍ମୀଙ୍କ କହିବାନୁଯାୟୀ, ତାଙ୍କ ମା’ ପୂର୍ବରୁ ହୃଦ୍ରୋଗରେ ପୀଡ଼ିତ ଥିଲେ। ହୃଦ୍ରୋଗ ଯୋଗୁଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଦର୍ଶନ ପାଇଁ ହରିଶଙ୍କର ଆସିଥିବା ସୁମିତ୍ରାଙ୍କ ଏଭଳି ଅକାଳ ମୃତ୍ୟୁ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି।
