ପୁରୀ: ଭାରତୀୟ ମଜଦୁର ସଂଘ ଶ୍ରମିକ ମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ସୋମବାର ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜିର ଦିନକୁ ସଂଘ ପ୍ରତିବାଦ ଦିବସ ଭାବେ ପାଳନ କରିଛି । ସୁବାଷ ବୋଷ ଛକ ଠାରୁ ଶ୍ରମିକ ମାନଙ୍କ ଏକ ବିଶାଳ ଶୋଭାଯାତ୍ରା ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।

ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇଙ୍କୁ ପ୍ରଦାନ କରିଥିଲେ । ସଂଘର କେନ୍ଦ୍ରୀୟ କାର୍ଯ୍ୟ ସମିତି ନିଷ୍ପତ୍ତି ଅନୁଯାଇ ସାରା ଦେଶରେ ପ୍ରତିବାଦ ଦିବସ ପାଳନ କରାଯାଉଛି । ଦାବି ମାନଙ୍କ ମଧ୍ୟରେ ଶ୍ରମିକଙ୍କ ଦରମା ୨୧ ହଜାରୁ ୪୨ ହଜାର ଟଙ୍କାକୁ ବୃଦ୍ଧି,ପେନସନ ୭ ହଜାର ୫ ଶହ ଟଙ୍କାକୁ ବୃଦ୍ଧି, ଦରମା ସୀମା ୩୦ ହଜାର କରିବା,ଅଙ୍ଗନୱାଡି ଓ ଆଶାଙ୍କ ଭଳି ଶ୍ରମିକଙ୍କ ମାନଦଣ୍ଡ ବୃଦ୍ଧି କରିବା,ସମାନ କାମକୁ ସମାନ ଦରମା ପ୍ରଦାନ, ଶ୍ରମିକ ବିରୋଧୀ ଶ୍ରମ ଆଇନ ପ୍ରତ୍ୟାହାର ଆଦି ଦାବି ସମ୍ପର୍କରେ ସ୍ଲୋଗାନ ଦେବା ସହ ପ୍ରତିବାଦ କରିଥିଲେ ।

ସଂଘର ଜିଲ୍ଲା ସଭାପତି ବସନ୍ତ କୁମାର ପଲାଇ,ସମ୍ପାଦକ ଉପେନ୍ଦ୍ର ବିଶୋଇ,ଅଙ୍ଗନୱାଡି ଜିଲ୍ଲା ସମ୍ପାଦକ ପ୍ରତିମା ମଞ୍ଜରୀ ଦତ୍ତଙ୍କ ନେତୃତ୍ୱରେ ଶତାଧିକ ସଂଘର ସଦସ୍ୟ ଓ ସଦସ୍ୟ ମାନେ ଯୋଗ ଦେଇଥିଲେ ।
