ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡରେ ହାତୀ ମଣିଷ ସଂଘର୍ଷର ଅନ୍ତ ଘଟୁନାହିଁ। କମିବା ବଦଳରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ହିନ୍ଦୋଳ ବନାଞ୍ଚଳରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଫଳରେ ହିନ୍ଦୋଳବାସୀଙ୍କ ମନରେ ଏକ ପ୍ରକାର କୋକୁଆଭୟ ସୃଷ୍ଟି ହୋଇଛି। ଘରୁ ଗୋଡ଼ କାଢ଼ି ଯାଉଥିବା ଲୋକଟିଏ ଘରକୁ ନଫେରିବା ଯାଏଁ ଘର ଲୋକଙ୍କ ମନରେ ଶଙ୍କା ରହୁଛି। ଏପରିକି ସ୍କୁଲ୍ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ଏବେ ଚିନ୍ତାରେ ପଡିଯାଇଛନ୍ତି । ସାଧାରଣଲୋକର ସଂଧ୍ୟା ସମୟରେ ଦେହ ଅସୁସ୍ଥ ହେଲେ ଭାଗ୍ୟକୁ ଆଦରି ସକାଳଯାଏଁ ଅପେକ୍ଷା କରିବାକୁ ପଡୁଛି। ମେଡିକାଲକୁ ଯିବାକୁ ହେଲେ ଆମ୍ବୁଲାନ୍ସକୁ ଫୋନ୍ କଲେ ଗାଡ଼ି ଚାଳକ ସଫା ସଫା ମନା କରି ଦେଉଛି। ସଂଧ୍ୟା ସମୟରେ ଯଦି କାହାର ମୃତ୍ୟୁ ଘଟୁଛି ତେବେ ମୃତଦେହଟି ସଞ୍ଜରୁ ସକାଳଯାଏଁ ପଡ଼ିରହୁଛି। କାଁ ଭାଁ ବନକର୍ମଚାରୀଙ୍କ ଉପସ୍ଥିତିରେ ଶବଦାହ ହୋଇପାରୁଛି। ଆଜି ହିନ୍ଦୋଳ ଉପଖଣ୍ଡ ଗୁଳେହି ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମର ଭାସ୍କର ସାହୁଙ୍କ ଏକମାତ୍ର ପୁତ୍ର ଜିତେନ୍ଦ୍ର ସାହୁ (୩୦) ଦିନ ପ୍ରାୟ ୧୨ଟା ସମୟରେ ଦୋକାନକୁ ସଉଦା ପାଇଁ ଯାଉଥିବାବେଳେ ଏକ ହାତୀ ହାବୁଡରେ ପଡ଼ିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଦୁଃଖଦ ଖବରଟି ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ମୃତଦେହ ଦେଖିବାକୁ ଗ୍ରାମରେ ଜନସମୁଦ୍ର ପାଲଟିଥିଲା। ପରିବାରଲୋକେ ଓ ସ୍ଥାନୀୟ ଲୋକମାନେ ପୁରୁଣା କଟକ ସମ୍ବଲପୁର ରାସ୍ତାର ଗୁଳେହି ଛକରେ ଜିତେନ୍ଦ୍ରଙ୍କ ଶବରଖି ରାସ୍ତା ଅବରୋଧ କରିଥିଲେ। ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀ ଓ ବାଲିମୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ଦେବା ଓ ଗ୍ରାମରେ ଲାଇଟ୍ ଲଗାଇବାର ପ୍ରତିଶ୍ରୁତି ଦେବାପରେ ଯାଇ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏବଂ ଦୁଇପାର୍ଶ୍ୱରେ ଅଟକି ରହିଥିବା ଶତାଧିକ ଗାଡ଼ି ସ୍ୱାଭାବିକ ଭାବେ ଚଳପ୍ରଚଳ କରିଥିଲା। ତେବେ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ଜିତେନ୍ଦ୍ରଙ୍କୁ ହରାଇ ପୁରା ପରିବାର ବେସାହାରା ହୋଇପଡ଼ିଛି। ଜିତେନ୍ଦ୍ରଙ୍କ ବଡ଼ ଝିଅର ବୟସ ୧୦ ଓ ସାନ ଝିଅକୁ ମାତ୍ର ୧୮ ଦିନ ହୋଇଛି। ତେବେ ଏଭଳି ସ୍ଥିତିରେ ଅସହାୟ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇଦେବା ସହ ପିଲାଙ୍କ ଭବିଷ୍ୟତ ପାଇଁ ଜିତେନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଥଇଥାନ କରିବା ପାଇଁ ସାଧାରଣରେ ଦାବି ହେଉଛି।
ଦୀପକ କୁମାର ନାୟକ, ହିନ୍ଦୋଳ
