ମୁମ୍ବାଇ : ଆଇପିଏଲ୍ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଚଳାଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ପେସ୍ ବୋଲର ଯଶପ୍ରୀତ ବୁମରା ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀର ଉତ୍କର୍ଷ କେନ୍ଦ୍ରରେ ପହଞ୍ଚିବା ଖବର ସମସ୍ତଙ୍କୁ ଚକିତ କରିଥିଲା । ବୁମରା ଆହତ ହୋଇଥିବା ପ୍ରଥମେ ଆଶଙ୍କା କରାଯାଇଥିଲା । ମାତ୍ର ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଓ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ ଖେଳିବେ ବୋଲି ଜଣା ପଡ଼ିଛି । ମୁମ୍ବାଇ ଇଣ୍ଡିଆନ୍ସ ୨୯ ତାରିଖରେ ଅଭିଯାନ ଆରମ୍ଭ କରିବ ଓ ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ବୁମରା ଉକ୍ତ ମ୍ୟାଚ ଖେଳିବେ । ମିଳିଥିବା ସୂଚନା ଅନୁଯାୟୀ, ବୁମରାଙ୍କ କାର୍ଯ୍ୟଭାର ଉପରେ ବିସିସିଆଇ ଗୁରୁତ୍ୱ ଦେଉଛି । ତେଣୁ ତାଙ୍କ ଫିଟ୍ନେସ ଯାଞ୍ଚ କରିବା ପାଇଁ ଏନସିଏକୁ ଡ଼କା ଯାଇଥିଲା । ସେ ଆଉ କିଛି ଦିନ ସେଠାରେ ରହି ଅଭ୍ୟାସ କରିବେ।
