ନୂଆଦିଲ୍ଲୀ : ଆଇପିଏଲ ୨୦୨୬ର ବାକି ଥିବା ୫୦ଟି ଲିଗ ମ୍ୟାଚ୍ରେ ସୂଚୀ ଆଜି ବିସିସିଆଇ ପକ୍ଷରୁ ସାର୍ବଜନୀନ କରାଯାଇଛି। ଆସନ୍ତା ୨୮ରୁ ଆଇପିଏଲର ୧୯ତମ ସଂସ୍କରଣ ଆରମ୍ଭ ହେଉଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ସୂଚୀ ସାମ୍ନାକୁ ଆସିଛି। ପ୍ରଥମ ପର୍ଯ୍ୟାୟରେ ୪ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିସିସିଆଇ ୨୦ଟି ଲିଗ ମ୍ୟାଚ୍ର ସୂଚୀ ଜାରି କରିଥିଲା। ଆଜି ବାକି ଥିବା ଲିଗ ପର୍ଯ୍ୟାୟର ବାକି ୫୦ଟି ଯାକ ମ୍ୟାଚ୍ର ସୂଚୀକୁ ଜାରି କରାଯାଇଛି। ଲିଗ ପର୍ଯ୍ୟାୟରେ ଖେଳାଯିବାକୁ ଥିବା ୭୦ଟି ଲିଗ ମ୍ୟାଚ୍ ମୋଟ ୧୩ଟି ଭେନ୍ୟୁରେ ଖେଳାଯିବ। ମାର୍ଚ୍ଚ ୨୮ରେ ଆରମ୍ଭ ହେଉଥିବା ଆଇପିଏଲର ପ୍ରଥମ ମ୍ୟାଚ୍ରେ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଏପ୍ରିଲ ୧୩ରୁ ଆରମ୍ଭ ହେବ। ହାଇଦ୍ରାବାଦ ନିଜ ହୋମ ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଆଇପିଏଲ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ୍ ମେ’ ୨୪ରେ ଅନୁଷ୍ଠିତ ହେବ। ଶେଷ ଲିଗରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଇଡେନ ଗାର୍ଡେନ୍ସ ଲଢ଼େଇ କରିବେ। ଲିଗ ପର୍ଯ୍ୟାୟର ମ୍ୟାଚ୍ ସୂଚୀ ଆଜି ଜାରି କରାଯାଇଥିବା ବେଳେ ଫ୍ଲେ ଅଫ ଓ ଫାଇନାଲ ତାରିଖ ଏଯାଏ ଚୂଡ଼ାନ୍ତ ହୋଇନି। ଏ ସମ୍ପର୍କରେ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ବିସିସିଆଇ କହିଛି। ୧୩ଟି ଭେନ୍ୟୁରେ ଗ୍ରୁପ ପର୍ଯ୍ୟାୟର ୭୦ଟି ଯାକ ମ୍ୟାଚ୍ ଖେଳାଯିବ। ୧୦ଟି ଟିମର ସମସ୍ତ ହୋମ ଗ୍ରାଉଣ୍ଡ ବ୍ୟତୀତ ଗୁହାଟୀ, ରାୟପୁର ଓ ଧର୍ମଶାଳାରେ ମଧ୍ୟ କିଛି ମ୍ୟାଚ୍ ଅନୁଷ୍ଠିତ ହେବ। ରାଜସ୍ଥାନ ନିଜର ୭ଟି ହୋମ ମ୍ୟାଚ୍ରୁ ୩ଟି ଗୁହାଟୀରେ ଖେଳିବାକୁ ଥିବା ବେଳେ ୪ଟି ଜୟପୁରରେ ଖେଳିବ। ସେହିପରି ପଞ୍ଜାବ ଧର୍ମଶାଳାରେ ୩ଟି ଓ ମୁଲ୍ଲାନପୁରରେ ୪ଟି ହୋମ ଗେମ ଖେଳିବ ବୋଲି ବିସିସିଆଇ କହିଛି। ଡିଫେଣ୍ଡିଂ ଚାମ୍ପିୟନ ଆରସିବି ପ୍ରଥମ ଥର ପାଇଁ ବେଙ୍ଗାଲୁରୁର ଏମ ଚିନାସ୍ୱାମୀରେ ନିଜର ସମସ୍ତ ହୋମ ମ୍ୟାଚ୍ ଖେଳିବ ନାହିଁ। ୭ଟି ହୋମ ମ୍ୟାଚ୍ରୁ ଆରସିବି ୫ଟି ଏମ ଚିନାସ୍ୱାମୀରେ ଓ ୨ଟି ରାୟପୁରରେ ଖେଳିବ। ମେ’ ୧୦ରେ ଦଳ ରାୟପୁରରେ ମୁମ୍ବାଇକୁ ଓ ମେ’ ୧୩ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ।
