ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମାଲିକାନାରେ ହୋଇଛି ବଡ଼ ଧରଣର ପରିବର୍ତ୍ତନ। ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ଠାରୁ ଏହି ଫ୍ରାଞ୍ଚାଇଜକୁ କିଣି ନେଇଛି ଆଦିତ୍ୟ ବିର୍ଲା ଗ୍ରୁପ୍ ନେତୃତ୍ୱାଧୀନ ଚାରି କମ୍ପାନୀ। ଆଉ ଏହି ଅଧିଗ୍ରହଣ ପରେ ଦଳର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ପୂର୍ବତନ କ୍ରିକେଟର ଆର୍ଯ୍ୟମନ ବିର୍ଲା। ଆଦିତ୍ୟ ବିର୍ଲା ଗ୍ରୁପ୍, ଟାଇମ୍ସ ଅଫ୍ ଇଣ୍ଡିଆ, ବୋଲ୍ଟ ଭେଞ୍ଚର୍ସ ଏବଂ ବ୍ଲାକଷ୍ଟୋନ୍ ଗ୍ରୁପ୍ ମିଳିତ ଭାବେ ପ୍ରାୟ ୧୬,୦୦୦ କୋଟି ଟଙ୍କାରେ (୧.୭୮ ବିଲିୟନ ଡଲାର) ଆରସିବିର ୧୦୦ ପ୍ରତିଶତ ଅଂଶଧନ କିଣିଛନ୍ତି। ଏଥିରେ ଉଭୟ ପୁରୁଷ ଏବଂ ମହିଳା ଦଳ ସାମିଲ ଅଛନ୍ତି। ୨୮ ବର୍ଷୀୟ ଆର୍ଯ୍ୟମାନ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲାଙ୍କ ପୁଅ। କ୍ରିକେଟ୍ ପ୍ରତି ତାଙ୍କର ଗଭୀର ରୁଚି ରହିଛି। ସେ ମଧ୍ୟପ୍ରଦେଶ ପାଇଁ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ଇଡେନ୍ ଗାର୍ଡେନ୍ସରେ ବେଙ୍ଗଲ ବିପକ୍ଷରେ ଏକ ଶତକ ମଧ୍ୟ ସାମିଲ ଅଛି। ବିଶେଷ କଥା ହେଉଛି, ସେ ଆରସିବି ଅଧିନାୟକ ରଜତ ପାଟିଦାରଙ୍କ ସହ ଡ୍ରେସିଂ ରୁମ୍ ମଧ୍ୟ ସେୟାର କରିଛନ୍ତି। ୨୦୧୮ ମେଗା ନିଲାମରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା। ତେବେ ମାନସିକ ସ୍ୱାସ୍ଥ୍ୟ ଏବଂ ଉଦ୍ବେଗ ଯୋଗୁଁ ସେ ୨୦୨୦ରେ କ୍ରିକେଟରୁ ବିରତି ନେଇଥିଲେ। ଆରସିବି ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ, ଆରସିବିର ପରବର୍ତ୍ତୀ ଅଭିବୃଦ୍ଧି ପାଇଁ କାମ କରିବା ଏକ ସୌଭାଗ୍ୟର ବିଷୟ। ତେବେ ଆରସିବି’ ର ମାଲିକାନା ପରିବର୍ତ୍ତନକୁ ନେଇ ଏବେ ସାରା କ୍ରିକେଟ ଜଗତରେ ଚର୍ଚ୍ଚା ଦେଖୁଇବାକୁ ମିଳିଛି। କେବଳ ଏକ ଦଳର ହସ୍ତାନ୍ତର ନୁହେଁ, ବରଂ ଏହା ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ବଡ଼ ‘ଅଲକ୍ୟାସ’ ଡିଲ୍ ଭାବେ ଉଭା ହୋଇଛି। ପ୍ରାୟ ୧୬,୬୬୦ କୋଟି ଟଙ୍କାର ଏହି କାରବାର ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଆସନ୍ତୁ ଜାଣିବା ଏହି ମେଗା ଡିଲ୍ର କିଛି ଅଜଣା ତଥ୍ୟ। ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ ଦ୍ୱାରା ଘୋଷିତ ଏହି ଡିଲ୍ର ମୂଲ୍ୟ ସମସ୍ତଙ୍କୁ ଚକିତ କରିଛି। ୨୦୨୧ ମସିହାରେ ବିସିସିଆଇ ଦ୍ୱାରା ବିକ୍ରି ହୋଇଥିବା ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ଦଳର ମିଳିତ ମୂଲ୍ୟ (୧୨,୭୧୫ କୋଟି) ଠାରୁ ମଧ୍ୟ ଆରସିବିର ମୂଲ୍ୟ ଅଧିକ ରହିଛି। ବିଶ୍ୱର ଅଗ୍ରଣୀ ମଦ ପ୍ରସ୍ତୁତକାରୀ ସଂସ୍ଥା ‘ଡିଆଜିଓ’ ପୂର୍ବରୁ ସୂଚନା ଦେଇଥିଲା ଯେ କ୍ରିକେଟ୍ ସେମାନଙ୍କର ମୂଳ ବ୍ୟବସାୟ ନୁହେଁ। ତେଣୁ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଏହି ବିକ୍ରି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ୨୦୦୮ରେ ଆଇପିଏଲ୍ ଆରମ୍ଭ ବେଳେ ବିଜୟ ମାଲ୍ୟାଙ୍କ ୟୁନାଇଟେଡ୍ ବ୍ରୁଅରିଜ୍ ମାତ୍ର ୧୧୧.୬ ମିଲିୟନ ଡଲାରରେ ଏହି ଦଳକୁ କିଣିଥିଲା। ଆଜି ତାହାର ମୂଲ୍ୟ ପ୍ରାୟ ୧୫ ଗୁଣ ବୃଦ୍ଧି ପାଇଛି।
