ବାରିପଦା; ଲଘୁଚାପ ଜନିତ ବର୍ଷା ଜାରି ରହିବା ଫଳରେ ମୟୂରଭଞ୍ଜ ଜିଲା, ରାସଗୋବିନ୍ଦପୁର ବ୍ଲକରେ ଏହାର ତାଣ୍ଡବ ଦେଖିବାକୁ ମିଳିଛି। ଗତକାଲି ବ୍ଲକରେ ୮୦ମିମି ବର୍ଷା ହୋଇଛି। ଗତକାଲି ବ୍ଲକର ଛଅଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ୮ଟି ପଞ୍ଚାୟତର ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ବ୍ଲକର ସାରୁମୂଳା, ନାକିଚୁଆ, ମାଣିଦା,ଖୁଣ୍ଟାପାଳ,ତୋଟାପୋଡା,ରାଘବପୁର, ନଳଗଜା, ଦେବଶୋଳ ପଞ୍ଚାୟତ ଲୋକଙ୍କ ଘର ଭିତରକୁ ପାଣି ପଶିବା ଫଳରେ ଜନଜୀବନ ଦୁର୍ବିସହ ହୋଇପଡିଛି। ଶତାଧିକ ଲୋକଙ୍କ ଘର ଭାଙ୍ଗିବା ସହିତ ଘରେ ଥିବା ଚାଉଳ, ଆସବାବ ପତ୍ର ନଷ୍ଟ ହୋଇଯାଇଛି। ରାଘବପୁର ପଞ୍ଚାୟତ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଖୁଣ୍ଟାପାଳ,ମାଣିଦା,ତୋଟାପୋଡ଼ା ପଞ୍ଚାୟତର ମୋଟ ୯ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ଥିବା ବେଳେ ଲୋକେ ଉଚ୍ଚ ସ୍ଥାନରେ ଯାଇ ରହିଛନ୍ତି ଏବଂ ବୋଟିଂ ମାଧ୍ୟମରେ ପ୍ରଶାସନ ସେମାନଙ୍କ ନିକଟରେ ପହଁଞ୍ଚି ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା କରିଛି। ସୁବର୍ଣ୍ଣରେଖା କେନାଲରେ ପାଣି ଉଛୁଳି ନଳଗଜା ପଞ୍ଚାୟତର ନୁଣଚାଟି ଗ୍ରାମର ଥିବା ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉପରେ ପାଣି ଥିବା ବେଳେ କିଛି ଲୋକଙ୍କ ଘର ମଧ୍ୟ ଭାଙ୍ଗିଛି।

ଭୟରେ ଲୋକେ ରାସ୍ତାରେ ଆସି ରହିଥିବା ବେଳେ ଘର କାନ୍ଥ ଭାଙ୍ଗି ଯିବାରୁ ଛେଳି, ଘୁଷୁରୀ କାନ୍ଥ ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ତେବେ ସଠିକ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ଏପରି ପରିସ୍ଥିତି ହୋଇଛି ବୋଲି ଅଭିଯୋଗ ହୋଇଛି । ଦେବଶୋଳ ପଞ୍ଚାୟତର ଅନ୍ଧାରୀରେ କେନାଲ ଆଡି ଭାଙ୍ଗି ଯିବାରୁ ଲୋକଙ୍କ ଘର ଭିତରେ ପାଣି ପଶିବା ଫଳରେ ବହୁ ଘର ନଷ୍ଟ ହୋଇଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଉପସ୍ଥିତ ଅଛି ବୋଲି କହିଛନ୍ତି ରାସଗୋବିନ୍ଦପୁର ବିଡ଼ିଓ ଅନନ୍ତ ହାଁସଦା। ରାସଗୋବିନ୍ଦପୁରରେ ୮୦ଟି ଘର ଭାଙ୍ଗିଛି। ସେହିପରି ମୋରଡ଼ା ବ୍ଲକର ଘୋଳିମୁଁହା ପଞ୍ଚାୟତରେ ନଦୀ ପାଣି ମାଡ଼ି ଆସିବାରୁ ଘୋଳମୁଁହା, ଗଣ୍ଡଗୁହାଳି ଗ୍ରାମବାସୀ ଜଳବନ୍ଦୀ ଥିଲେ। ଗତକାଲିଠୁ ପ୍ରଶାସନ ତରଫରୁ ଏମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ବ୍ଲକର ଦାନ୍ତିଆମୁଁହା, ସୁରେଇଡ଼ିହି, ହଳଦୀପାଳ ସମାଇଡ଼ିହି, ମୋରଡାର ପଟ୍ଟାକୁଣ୍ଡିଆ, ପଳାସମୁଣ୍ଡୁଳି ଆଦି ପଞ୍ଚାୟତରେ ବର୍ଷା ଯୋଗୁଁ ୪୦ଟି ଘର ଭାଙ୍ଗିଛି ବୋଲି ସୂଚନା ଦେଇଛନ୍ତି ତହସିଲଦାର ଶୁଭମ ଦାସ। ଆଂଶିକ ଭାବେ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ ୪୦ହଜାର ଏବଂ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ ପିଏମ ଆବାସ ଯୋଜନାରେ ମିଳିବାକୁ ଥିବା ସମ୍ପୂର୍ଣ୍ଣ ଟଙ୍କା ପାଇବେ ବୋଲି କହିଛନ୍ତି।
