ବାରିପଦା; ହାଇଦରାବାଦର ଏକ ହଷ୍ଟେଲରେ ରହି କାମ କରୁଥିବା ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଧାତିକା ପଞ୍ଚାୟତ ଅଧୀନ ଡୁମୁରିଆ ଗ୍ରାମର ଜଣେ ଯୁବକଙ୍କୁ ଗୁରୁବାର ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଡୁମୁରିଆ ଗ୍ରାମର ସ୍ୱର୍ଗତ ଶମ୍ଭୁନାଥ ରାଜଙ୍କ ପୁଅ ଶଶିଧର ରାଜ ରୋଜଗାର ଆଶା ନେଇ ହାଇଦରାବାଦ ଯାଇଥିଲେ । ସେଠାରେ ଥିବା ଏକ ଘୋରେଇ ହଷ୍ଟେଲ ରହି କାମ କରୁଥିଲେ। ଗତ ମେ ମାସରେ ଘରକୁ ବୁଲିବାକୁ ଆସିଥିବା ବେଳେ ନିଜ ପତ୍ନୀଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇଥିଲେ। ସେଠାରେ ସ୍ୱାମୀ-ସ୍ତ୍ରୀ ରହି କାମ କରୁଥିଲେ । ଗୁରୁବାର ରାତିରେ ତାଙ୍କ ପତ୍ନୀ ରୁମରେ ଥିବା ବେଳେ ଶଶିଧର କୌଣସି କାମରେ ବାହାରକୁ ଯାଇଥିଲେ। ଏତିକିବେଳେ ଜଣେ ବ୍ୟକ୍ତି ହଠାତ୍ ଏକ ଭୁଜାଲି ଧରି ଆସି ବିଚ୍ ରାସ୍ତାରେ ଶଶିଧରଙ୍କୁ ଆକ୍ରମଣ କରିବା ସହ ତାଙ୍କ ଛାତିରେ ବାରମ୍ବାର ଭୁଜାଲି ଭୁସି ଦେଇଥିଲେ। ଏହି ଲୋମଟାଙ୍କୁରା ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି । ରାୟଦୃଗମ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାଜନିତ ଏକ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ନେଇ ତାଙ୍କ ନିକଟ ସମ୍ପର୍କୀୟଙ୍କଠାରୁ ସୂଚନା ମିଳିଛି।

ମୃତ ଶଶିଧର ଜଣେ ଗରିବ ପରିବାରର ହୋଇଥିବା ବେଳେ ଘରେ ଥିବା ଦୁଇ ନାବାଳିକା ଓ ଜଣେ ନାବାଳକ ଅସହାୟ ହୋଇ ପଡ଼ିଛନ୍ତି। ଏହି ପରିବାରକୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବା ସହ ଘଟଣାର ପ୍ରକୃତ କାରଣ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ତେବେ ଏନେଇ ଶଶିଧର ଙ୍କ ଭାଉଜ ସୌଭାଗ୍ୟ ଲତା ରାଜ କହିଛନ୍ତି ଯେ ଅର୍ଥ ଅଭାବରୁ ଶବ ଗାଁ କୁ ଆଣିବା ସମ୍ଭବ ନହେବାରୁ ସେଠାରେ ଶବ ସତ୍କାର କରାଯାଇଛି । ଏବେ ସେଠାକାର ପୋଲିସ ପାଖରେ ମୋବାଇଲ ଥିବା ରୁ ଯୋଗାଯୋଗ ସମ୍ଭବ ହେଇ ପାରୁନାହିଁ । ତେବେ ଶଶିଧର ଙ୍କ ସ୍ତ୍ରୀ ଦେବଜାନୀ ରାଜ କେମିତି ଘର କୁ ଫେରିବେ ଓ ଶିଶିଧର ଙ୍କୁ କେମିତି ନ୍ୟାୟ ମିଳିବ ସେ ଏନେଇ ଚିନ୍ତାରେ ଅଛନ୍ତି ପରିବାର ଲୋକେ । ଏପଟେ ଡମୁରିଆ ଗାଁ ରେ ଥିବା ଶଶିଧରଙ୍କ ଦୁଇ ଝିଅ ଓ ପୁଅ ବାପା ମା ଙ୍କୁ ଚାହିଁ ବସିଛନ୍ତି । ବାପା ଙ୍କ ଖବର ଦେଖି ପୁଅ ଝିଅ ଙ୍କ ଆଖିରୁ ଲୁହ ସରୁନଥିବା ବେଳେ ମା କେମିତି ଭଲରେ ଘରକୁ ଫେରିବ ସେନେଇ ଚିନ୍ତାରେ ପୁଅ ଝିଅ । ତେବେ ବଡ଼ ଝିଅ ମିଥାଲି ରାଜ ଗୁରୁବାର ଦିନ ସକାଳେ ବାପାଙ୍କ ସହିତ କଥା ହୋଇଥିଲେ । ବାପା କହିଲେ ମୁଁ ଟଙ୍କା ପଠାଉଛି ତୁ ସାନ ଭାଇ ର ସ୍କୁଲ ଫି ଦେବୁ ଓ ସାନ ଭଉଣୀ କଥା ବୁଝୁଥିବୁ । ତେବେ ଏବେ ମା କେମିତି ଭଲରେ ଘରକୁ ଫେରିବ ଓ ବାପା ଙ୍କ ହତ୍ୟାକାରୀ ଙ୍କୁ କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି ଝିଅ ।ଅର୍ଥ ଅଭାବରୁ ଶଶିଧର ଙ୍କ ଶବ ଗାଁ କୁ ନ ଆଣିପାରି ସେଠାରେ ଶବଦାହ କରାଯାଇଥିବା ପରିବାର ଲୋକେ କହିଛନ୍ତି । ଅପରପକ୍ଷରେ ଗାଁ ରେ ବାପା ଶଶିଧର ଙ୍କ ଶବଦାହ ଖବର ଶୁଣି ଗାଁ, କାନ୍ଦବୋବାଳି ରେ ଫାଟିପଡୁଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କୁ ପଡିଶା ଲୋକେ ଅନୁରୋଧ କରି କହିଛନ୍ତି ଯେ, ଶଶିଧର ଙ୍କ ସ୍ତ୍ରୀ କିପରି ଭଲ ରେ ଘରକୁ ଫେରିବେ ଓ ଶିଶିଧର ଙ୍କ ହତ୍ୟାକାରୀ ଙ୍କୁ କିପରି କୋଠର ଦଣ୍ଡ ମିଳିବ ସେନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
