ବାରିପଦା /କରଞ୍ଜିଆ; କରଞ୍ଜିଆ ବନଖଣ୍ଡରେ ବର୍ତ୍ତମାନ ୨୭ ଟି ହାତୀ ବିଭିନ୍ନ ସ୍ଥାନରେ ରହି ଉପଦ୍ରବ ଜାରି ରଖିଛନ୍ତି। ତେବେ ଗତକାଲି ବିଳମ୍ବିତ ରାତି ଓ ଆଜି ଭୋରରେ କିଛି ଝାଡ଼ଖଣ୍ଡୀ ହାତୀ ଗୋଠ ଛଡ଼ା ହୋଇ ଏଣେ ତେଣେ ହୋଇ ୨ ଟି ଗାଁରେ ପଶି ୪ ଘର ଓ ଅନ୍ୟ ଗୋଟିଏ ଗାଁର ଅଙ୍ଗନବାଡ଼ି କେନ୍ଦ୍ର ଝରକା କବାଟକୁ ବଙ୍କା କରି ନଷ୍ଟ କରିବା ସହ ଛୋଟ ଛୋଟ ପିଲାମାନଙ୍କ ନିମନ୍ତେ ଥିବା ଖାଦ୍ୟ ଖାଇ ଦେଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୫ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଗତକାଲି ବିଳମ୍ବିତ ରାତି ପ୍ରାୟ ଅଢ଼େଇଟା ସମୟରେ କରଞ୍ଜିଆ ବ୍ଲକ କେରକେରା ପଞ୍ଚାୟତ ନେଢୁଆପାଳ ଗାଁରେ ପଶି ବିନାଶ ସୃଷ୍ଟି କରିଛନ୍ତି। ଏହି ହାତୀପଲ ଭରତ ଲାଗୁରୀଙ୍କ ଘର କାନ୍ଥ ଠେଲି ଦେବାରୁ କାନ୍ଥଟି ଭାଙ୍ଗି ଯାଇଥିଲା। ଦୁର୍ଭାଗ୍ୟକୁ ଏହି ସମୟରେ ପରିବାର ଲୋକେ ଶୋଇଥିବା ଅବସ୍ଥାରେ କାନ୍ଥ ସେମାନଙ୍କ ଉପରେ ପଡ଼ିଯାଇଥିଲା। ପରିବାର ଲୋକେ ନିଜକୁ କୈଣସି ମତେ ବଞ୍ଚାଇଥିବା ବେଳେ ୫ ବର୍ଷର ଶିଶୁପୁତ୍ର ପୁର୍ଣ୍ଣଚନ୍ଦ୍ର ଲାଗୁରୀ ଚାପି ହୋଇ ରହିଯାଇଥିଲା। ପରିବାର ଲୋକେ ତାକୁ ଉଦ୍ଧାର କରି ବନ କର୍ମଚାରୀ ମାନଙ୍କ ସହଯୋଗରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ,ମାତ୍ର ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।ବନ ବିଭାଗ କରଞ୍ଜିଆ ପୋଲିସ କୁ ଖବର ଦେଇଥିଲେ ଏବଂ ପୋଲିସ ସେଠାରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଯଥାଶୀଘ୍ର ଗୋଟିଏ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ୧୦ ଲକ୍ଷ ମଧ୍ୟରୁ ଏକ ଲକ୍ଷ ଦେବାର ବ୍ୟବସ୍ଥା କରାଯିବ ବୋଲି ଦୁଧିଆଣୀ ବନାଞ୍ଚଳ ଅଧିକାରୀ ମହାବୀର ସିଂ ମୁର୍ମୁ ସୂଚନା ଦେଇଛନ୍ତି। ସେହିପରି ଏହି ହାତୀପଲ ଦରି ଗାଁରେ ପଶି ଭୋଳାନାଥ ବେହେରାଙ୍କ ୧୮ ବର୍ଷର ଝିଅ ମଞ୍ଜୁଲତା ବେହେରା ବଢ଼ି ସକାଳୁ ସାଢ଼େ ୬ ଟା ସମୟରେ ଗାଁ ମଧ୍ୟକୁ ଯାଉଥିବା ବେଳେ ହଠାତ୍ ଏକ ହାତୀକୁ ସମ୍ମୁଖରେ ଦେଖି ଦୈଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀଟି ତାକୁ ଶୁଣ୍ଢରେ ଠେଲି ଦେବାରୁ ସେ କଚାଡ଼ି ପଡ଼ିଯାଇଥିଲେ। ନିକଟରେ ଥିବା ଲୋକମାନେ ପାଟିତୁଣ୍ଡ କରିବାରୁ ହାତୀଟି ଛାଡ଼ି ପଳାଇ ଯାଇଥିଲା ଏବଂ ଝିଅଟି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ତେବେ ତାଙ୍କୁ ମଧ୍ୟ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ବନ ବିଭାଗ କର୍ମଚାରୀ ଆଣିଥିଲେ ଏବଂ ଡାକ୍ତର ତାଙ୍କର ଅଣ୍ଟା ଓ ମେରୁଦଣ୍ଡରେ ମାଡ଼ ହୋଇଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ। ତେବେ ଏହି ହାତୀପଲ ନେଢୁଆପାଳ ଗାଁର ଭରତ ଲାଗୁରୀ,ଫୁଲମଣୀ ପାତ୍ର, ଇନ୍ଦିରା ପାତ୍ର,ମାଣିକଦୁମା ଗାଁର ଇଶ୍ୱର ବଦ୍ରାଙ୍କ ଘର ଭାଙ୍ଗିଥିବା ବେଳେ ପୁରୁଣା ଦେଓଗାଁର ଅଙ୍ଗନୱାଡି କେନ୍ଦ୍ରର ଝରକା କବାଟକୁ ବଙ୍କା କରି ଭାଙ୍ଗି ଛୋଟ ଛୋଟ ପିଲାମାନଙ୍କ ଖାଦ୍ୟ ସାମଗ୍ରୀ ଖାଇଥିବା ଜଣାପଡ଼ିଛି।
