ପୁରୀ: ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନରେ ସ୍ୱତନ୍ତ୍ର ବ୍ୟବସ୍ଥା ଦାବିରେ ଚାଲିଥିବା ସଚେତନତା ସତ୍ୟାଗ୍ରହ ପଦଯାତ୍ରା ଆଜି ୧୩୫ତମ ଦିନରେ ପହଞ୍ଚିଛି। ଏପ୍ରିଲ ୧ ଉତ୍କଳ ଦିବସଠାରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପ୍ରତ୍ୟହ ଏହି ଅହିଂସାମୂଳକ ପଦଯାତ୍ରା ଜାରି ରହିଛି। ଗତକାଲି ଭଳି ଆଜି ମଧ୍ୟ ସତ୍ୟାଗ୍ରହୀମାନେ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିଥିଲେ। ତେବେ ମହାପ୍ରଭୁଙ୍କ ବନକ ଲାଗି ନୀତି ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ସମ୍ଭବ ହୋଇନଥିଲା। ମହାପ୍ରଭୁଙ୍କ ନୀତିକାନ୍ତିକୁ ସମ୍ମାନ ଜଣାଇ ସତ୍ୟାଗ୍ରହୀ ପଦଯାତ୍ରୀମାନେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିଥିଲେ।ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ସୁବିଧା ଦାବିରେ ଏହି ସତ୍ୟାଗ୍ରହ ଜାରି ରହିଛି। ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ପୁରୀ ସହରବାସୀଙ୍କ ପାଇଁ ସରକାରୀ ସ୍ତରରେ ସ୍ଥାୟୀ ଭାବେ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଘୋଷଣା ନହେବା ପର୍ଯ୍ୟନ୍ତ ଏହି ଅହିଂସାମୂଳକ ସତ୍ୟାଗ୍ରହ ପଦଯାତ୍ରା ଜାରି ରହିବ।

ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ସମୟରେ ପୁରୀ ସହରର ଅନେକ ଲୋକ ଆଧାର କାର୍ଡ ଦେଖାଇବା ସତ୍ତ୍ୱେ ଶ୍ରୀମନ୍ଦିରରେ ପ୍ରବେଶ କରିପାରୁନଥିବା ନେଇ ମଞ୍ଚକୁ ଜଣାଇଛନ୍ତି। ତେଣୁ କେବଳ ଗୋଟିଏ ଦିନର ପ୍ରବେଶ ନୁହେଁ, ପୁରୀବାସୀଙ୍କ ପାଇଁ ସ୍ଥାୟୀ ଓ ସ୍ପଷ୍ଟ ବ୍ୟବସ୍ଥା କରାଯିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି।ମଞ୍ଚର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ମହାପ୍ରଭୁଙ୍କ ନୀତିକାନ୍ତି ପ୍ରତି ଆମର ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି। ନୀତିକାନ୍ତିକୁ ସମ୍ମାନ ଜଣାଇ ଆମେ ଆମର ଅହିଂସାମୂଳକ ଆନ୍ଦୋଳନ ଜାରି ରଖିଛୁ। ଯେଉଁ ପର୍ଯ୍ୟନ୍ତ ସରକାରୀ ସ୍ତରରେ ପୁରୀ ସହରବାସୀଙ୍କ ପାଇଁ ସ୍ଥାୟୀ ଓ ସ୍ୱତନ୍ତ୍ର ପ୍ରବେଶ-ଦର୍ଶନ ବ୍ୟବସ୍ଥା ଘୋଷଣା ନହୋଇଛି, ସେ ପର୍ଯ୍ୟନ୍ତ ଆମର ପଦଯାତ୍ରା ଓ ସତ୍ୟାଗ୍ରହ ଜାରି ରହିବ।ଗୁରୁବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ଯାଦବାନନ୍ଦ ରାୟ, ପ୍ରଫୁଲ୍ଲ କୁମାର ସାହୁ, କିଶୋର ଚନ୍ଦ୍ର ଦାସ, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରଣସିଂହ, ରମେଶ ଚନ୍ଦ୍ର ମହାନ୍ତି, ଅରୁଣା ପଟ୍ଟନାୟକ, ବନିତା ଦିକ୍ଷୀତ, ବେବି ଚୌଧୁରୀ, ଶ୍ରାବଣୀ ଦାସ, କଣ୍ଢେଇ ଗୌଡ଼, ସଙ୍ଗୀତା ଦାସ, ନେହା, ବାବରିଲିନ, ମମତା ସ୍ୱାଇଁ, କାହ୍ନୁ ଚରଣ ପ୍ରଧାନ, ସନ୍ତୋଷ ସେନାପତି,ପ୍ରକାଶ ଚନ୍ଦ୍ର ନାୟକ, ପ୍ରଦୀପ୍ତ କୁମାର ମହାନ୍ତି, ସୁବାଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।ପାଦ ଚାଲିବ ଅହିଂସାର ପଥରେ।ନୀରବତା କହିବ ନ୍ୟାୟର କଥା।ଆଶା ରହିବ ମହାପ୍ରଭୁଙ୍କ ଦର୍ଶନର।
