ବାଲିପାଟଣା: ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ବାଲିକୁଦା ପାଟଣା ସ୍ଥିତ ଏକ ସରକାରୀ ସ୍ୱୀକୃତି ପ୍ରାପ୍ତ ବାଣ ଗୋଦାମରେ ଗତ କାଲି ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ବାଣ ଓ ବାରୁଦ ବିସ୍ପୋରଣ ହୋଇ ଥିବା ସହିତ ଜଣେ ବାଣ କାରିଗର ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ବାଣ କାରିଗର ଜଣଙ୍କ ରମେଶ ଚନ୍ଦ୍ର ସାହୁ ଓରଫ ଅମନଙ୍କ ଓ ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ବିସ୍ଫୋରଣ ସମୟରେ ଅମନ କାରଖାନାରେ ବାଣ ଭିଡୁଥିବା କୁହାଯାଉଛି । ନିଆଁ ଲାଗିବା ସମୟରେ ସେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ି ପଳେଇ ଆସିଥିଲେ । ହେଲେ ବିସ୍ପୋରଣରୁ ବର୍ତି ପାରି ନ ଥିଲେ । ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ବାରୁଦ ନିଆଁରେ ଜଳି ଯାଇଥିଲା । ପୁଲିସ ଭୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁରୁତର ଅବସ୍ଥାରେ ରମେଶ ଆତ୍ମଗୋପନ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଘଟଣା ସ୍ଥଳ ଶୂନଶାନ ହେବା ପରେ ରାତିରେ ଆହତ ରମେଶଙ୍କୁ ଭୁବନେଶ୍ୱର ମେଡିକାଲକୁ ନେଇ ଯାଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରୁ ଦେହାନ୍ତ ହୋଇଥିବା ଜଣା ପଡିଛି ।
