Oplus_16908288
ନୀଳଗିରି: ଜଳ ହିଁ ଜୀବନ।ଜୀବସତ୍ତାର ବିକାଶ ଓ ବଞ୍ଚିରହିବା ପାଇଁ ଜଳର ପ୍ରମୁଖ ଆବଶ୍ୟକତା ରହିଛି । ଜୀବଜନ୍ତୁ ବିଶେଷକରି ମନୁଷ୍ୟସମାଜ ପାଇଁ ସରକାର ଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରି ବିଭିନ୍ନ ଯୋଜନାରେ ସହରାଞ୍ଚଳ ଓ ଗାଁ ମାନଙ୍କୁ ଜଳଯୋଗାଣ କରୁଥିବା ବେଳେ ନୀଳଗିରି ବ୍ଲକ ନରସିଂହପୁର ପଞ୍ଚାୟତ ଆଡ଼ିଆଖୁଣ୍ଟା ଗାଁର ଜଳକଷ୍ଟ କହିଲେ ନସରେ। ଏହି ଗାଁ ପ୍ରତି ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଅଣଦେଖା କରାଯାଉଥିବାରୁ ଗାଁ ଲୋକମାନେ ଦୀର୍ଘବର୍ଷ ଧରି ଜଳକଷ୍ଟ ଭୋଗୁଛନ୍ତି।ରାଜ୍ୟସରକାର ବସୁଧା ଯୋଜନା ବ୍ୟବସ୍ଥାକରି ଜଳଯୋଗାଣ କରିଥିଲେ ମଧ୍ୟ ଉକ୍ତ ଯୋଜନାରେ ଗାଁଲୋକ ଦୀର୍ଘ ୨ମାସ ଧରି ପିଇବାପାଣି ପାଇବାରେ ବଞ୍ଚିତ ହେଉଛନ୍ତି। ସୋନନଦୀ କୂଳିଆ ଗାଁ ହୋଇଥିଲେ ମଧ୍ୟ ସରକାର ସୋନନଦୀରେ ବନ୍ଧବାନ୍ଧି ମେଗାପାନୀୟ ଜଳ ପ୍ରକଳ୍ପ ଦ୍ୱାରା ବ୍ଲକ୍ ର ବିଭିନ୍ନ ପଞ୍ଚାୟତକୁ ଜଳଯୋଗାଇ ଆସୁଥିବା ବେଳେ ଏହି ସୁବିଧାରୁ ବଂଚିତ ହେଉଛନ୍ତି ଆଡିଆଖୁଣ୍ଟା ବାସୀ। ଏହି ଗାଁର ଲୋକ ସତେ ଯେମିତି ବାହ୍ୟ ଜଗତରୁ ବିଛିନ୍ନ ।ଏମାନଙ୍କ ପାଇଁ ଜଳ ଯେମିତି ସାତସପନ ପାଲଟିଛି। ମେଗାପାନୀୟ ଜଳଯୋଗାଣର ପାଇପ ଗାଁକୁ ବିଛାଯାଇଥିଲେ ମଧ୍ୟ ଜଳଯୋଗାଣ କରାଯାଉନାହିଁ। ଯାହା ଫଳରେ ଗାଁ ଲୋକ ଶୋଷ ମେଣ୍ଟେଇବାକୁ ଚୁଆପାଣି ସହିତ ନଈପାଣି ଉପରେ ଭରସା କରିଚାଲିଛନ୍ତି। ଉକ୍ତ ଗାଁର ପ୍ରାୟ ୯ଟି ନଳକୂପ ଥିଲେ ମଧ୍ୟ ଆଶାନୁରୂପକ ଜଳ ଦେଉନଥିବାରୁ ଗାଁ ଲୋକମାନେ ପିଇବା ପାଣି ପାଇଁ ଡହଳବିକଳ ହେଉଥିବାରୁ ଶେଷରେ ଆଜି ଶତାଧିକ ମହିଳା ଗରା, ବାଲଟି ଧରି ଆଡ଼ିଆଖୁଣ୍ଟା ନରଣପୁର ଜୟପୁର ରାସ୍ତାର ଆଡିଆଖୁଣ୍ଟା ଠାରେ ରାସ୍ତାଅବରୋଧ କରି ପ୍ରତିବାଦ କରିଛନ୍ତି। ଏନେଇ ବିଭାଗପକ୍ଷରୁ ରାଜରାସ୍ତାରେ ବସି ପ୍ରତିବାଦ କରୁଥିବା ମହିଳାଙ୍କ ଠାରେ ଉପସ୍ଥିତ ନହେବା ଦୁଃଖ ଓ ପରିତାପର ବିଷୟ। ଖରା ଆରମ୍ଭ ନହେଉଣୁ ଯଦି ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ତେବେ ପ୍ରଚଣ୍ଡଖରା ହେଲେ ଏହି ଗାଁ ଲୋକଙ୍କର ଅବସ୍ଥା କଣ ହେବ ଓ କିଏ ଦାୟୀ ରହିବ ତାହାକୁ ନେଇ ଉଠିଛି ପ୍ରଶ୍ନ। ଏନେଇ ଗାଁ ଲୋକ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ବିଭାଗୀୟ ଅଧିକାରୀ ଓ ମେଗାପାନୀୟ ଜଳଯୋଗାଣ ଠିକାଦାରଙ୍କ ମନମାନୀ ଯୋଗୁଁ ଗାଁ ଲୋକ ପାଣିପାଇବାରୁ ବଞ୍ଚିତ ହେଉଥିବାର ଶତାଧିକ ଧାରଣକାରି ମହିଳାମାନେ ଅଭିଯୋଗ କରିଛନ୍ତି।
