ନୀଳଗିରି: ଅବକାରୀ ବିଭାଗର ବିଚିତ୍ର ନୀତି। ଶେଉଳ ଛାଡି କେରାଣ୍ଡିଧରି ନିଜର ପାରିବାପଣିଆର ମିଛ ଅଭିନୟକୁ ସାଧାରଣରେ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ। ଦୈନନ୍ଦିନ ନୀଳଗିରି ଅଞ୍ଚଳରେ ନିଶାକାରବାର ବଢ଼ିଚାଲିଥିବା ବେଳେ ନିଶାଡ଼ି ଓ ମଦୁଆଙ୍କ ପ୍ରାଦୃଭାବ ବୃଦ୍ଧିପାଇଛି। ନୀଳଗିରି ଅବକାରୀବିଭାଗ ସ୍ଥାଣୁ ପାଲଟିଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲା ବେଳେ ନୀଳଗିରି ଅଞ୍ଚଳରେ କାଁ ଭାଁ ଛୋଟକାଟିଆ ମଦ ଏବଂ ଗଞ୍ଜେଇ ଆଦି କାରବାରିଙ୍କୁ ଧରି ବଡ଼ବଡିଆ ବେପାରୀଙ୍କ ଠାରୁ ମୋଟାଅଙ୍କର ହାତଗୁଞ୍ଜାନେଇ ଚୁପ୍ ରହୁଥିବା ସାଧାରଣରେ ଚର୍ଚ୍ଚା ଚାଲିଛି।ଆଜି ନୀଳଗିରି ଅବକାରୀସୀମା ଅନ୍ତର୍ଗତ ବିଭିନ୍ନସ୍ଥାନରେ ବାଲେଶ୍ୱର ଭ୍ରାମ୍ୟମାଣ ୟୁନିଟ ଦ୍ୱାରା ଚଢାଉକରି ବିପୁଳପରିମାଣର ଦେଶୀମଦ ଜବତ କରିବାସହିତ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି।ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ଏବଂ ନୀଳଗିରି ଅବକାରୀ ବିଭାଗର ଏହି ମିଳିତ ଚଢାଉ ହୋଇଥିଲା। ଏହି ଚଢାଉରେ ମିତ୍ରପୁର ଅଞ୍ଚଳର ରାଜେନ୍ଦ୍ର ସିଂ, କୁଅଁରପୁର ମହଲାର ସନ୍ତୋଷ ବେହେରା, ଜାମ୍ବବଣି ଗ୍ରାମର ମୀନତି ସିଂ ଏବଂ ଅଯୋଧ୍ୟା ଗୋପାଳପୁର ଗ୍ରାମର ରୀନା ସିଂଙ୍କୁ ଗିରଫକରିଥିବା ବେଳେ ଗୋପାଳପୁର ଗ୍ରାମର ବୀରଭଦ୍ର ସିଂ ଓ ରବୀନ୍ଦ୍ର ସିଂ ଫେରାର ହେବାରେ ସକ୍ଷମ ହୋଇଯାଇଥିଲେ। ଅଭିଯୁକ୍ତ ମଦବେପାରୀଙ୍କ ନିକଟରୁ ୪୩୫ଲିଟର ଦେଶୀମଦ ଜବତ କରାଯାଇଥିବା ବେଳେ ପ୍ରାୟ ୨୭୫୦ଲିଟର ପୋଚ ନଷ୍ଟକରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ୨୪ହଜାର ୫ଶହ ହେବବୋଲି ଜଣାଯାଇଛି। ଏହି ଚଢାଉରେ ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀବିଭାଗ ଇନ୍ସପେକ୍ଟର ହରିହର ସିଂ, ସବଇନ୍ସପେକ୍ଟର ଭବେଶ ଦାସ, ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ଲମ୍ବୋଦର ମହାନ୍ତ, କନେଷ୍ଟବଳ ସୁନାରାମ ମୁର୍ମୁ, ନାହାନ ମୁର୍ମୁ, ସୁବିରକାନ୍ତ ବେହେରା ପ୍ରମୁଖ ସାମିଲଥିଲେ।
