ହିନ୍ଦୋଳ: ହିନ୍ଦୋଳ ଥାନା କନ୍ତାମିଲା ପଞ୍ଚାୟତ ଅନ୍ତର୍ଗତ ଧୋବଣୀନନ୍ଦ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ଧୋବଣୀନନ୍ଦର କୁନୁ ପରିଡା ଏବଂ ବୁଲା ସାହୁଙ୍କ ମଧ୍ୟରେ ପୂର୍ବରୁ ଏକ ଜମିବିବାଦ ଥିଲା। ଏହା ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ମାପଚୁପ କରାଯାଇ ସମାଧାନ କରାଯାଇଥିଲା। ପୂର୍ବରୁ ଯେଉଁ ଜମିକୁ ନେଇ ବିବାଦ ଲାଗିରହିଥିଲା ସେହି ଜମିରେ ବାଡ଼ ପକେଇବାକୁ ଶନିବାର ସକାଳ ସମୟରେ କୁନୁ ପରିଡା ଯାଇଥିଲେ। ବାଡ଼ ଦେବା ସମୟରେ ବୁଲା ସାହୁଙ୍କ ସ୍ତ୍ରୀ ଉତ୍ତମ ସାହୁ(୫୫) ସେହି ସ୍ଥାନରେ ଥିବା ମହୁଲ ଗଛକୁ ମହୁଲ ଗୋଟାଇବାକୁ ଯାଉଥିଲେ। ପୋତାଯାଉଥିବା ବାଡର ବାଉଁଶ ଖୋବାକୁ ଉତ୍ତମ ଓପାଡି ଫିଙ୍ଗି ଦେଇଥିଲେ। ଫଳରେ କୁନୁ ପରିଡା କ୍ରୋଧାନ୍ୱିତ ହୋଇ ସେହି ବାଉଁଶ ଖୋବାରେ ଉତ୍ତମଙ୍କ ମୁଣ୍ଡକୁ ଶକ୍ତପ୍ରହାର ଦେଇଥିଲେ। ଫଳରେ ସେଠାରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବହୁ ରକ୍ତସ୍ରାବ ହୋଇଥିଲା। ତେଣୁ ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଖବର ପାଇ ହିନ୍ଦୋଳ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏବଂ କେସ୍ ନଂ ୮୨/୨୬ ରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା। ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇ ଫେରାର୍ ହୋଇଯାଇଥିବାବେଳେ ରବିବାର ସକାଳ ସମୟରେ ଅଭିଯୁକ୍ତ କୁନୁ ପରିଡା(୬୩) ଙ୍କୁ ତାଙ୍କ ଗାଁ ନିକଟରୁ ଗିରଫ୍ କରାଯାଇ କୋର୍ଟଚାଲାଣ କରାଯାଇଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
