ପୁରୀ: ପୂର୍ବରୁ ଫେସ୍ବୁକ୍ରେ ଫେକ୍ ଆକାଉଣ୍ଟ ତିଆରି କରି ନିଜ ବନ୍ଧୁଙ୍କ ନାଁରେ ଠକ ଟଙ୍କା ମାଗୁଥିଲା ।ହେଲେ ତାହା ସଫଳ ନ ହେବାରୁ ଠକ ନୂଆ ବ୍ୟବସ୍ଥା ଆପଣେଇଛି। ନିଜ ବନ୍ଧୁଙ୍କ ମୋବାଇଲ୍ ନମ୍ବର ହ୍ୟାକ୍ କରି, ହ୍ୱାଟ୍ସ୍ଆପ୍ ଜରିଆରେ ଠକ ପଇସା ମାଗୁଛି । ଯଦି ସନ୍ଦେହ ହେଲା ଭଲ କଥା, ନହେଲେ ଯଦି ଅତି ନିକଟତର ବନ୍ଧୁ ବା ସନ୍ଦେହ ହେବା ଭଳି ଚରିତ୍ର ନୁହେଁ, ତେବେ ପଇସା ଗଲା । ଏଭଳି ଏକ ଠକାମିରୁ ବର୍ତ୍ତିଛନ୍ତି ଭଏସ୍ ଅଫ୍ କମନ୍ମ୍ୟାନ୍ ର ହେକ୍ଟର ମିଶ୍ର । ଏ ନେଇ ସେ ପୁରୀ ସାଇବର ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭକରିଛି।ଆଜି ପୂର୍ବାହ୍ନ ୧୦ଟା ବେଳେ ହେକ୍ଟର ମିଶ୍ରଙ୍କ ବନ୍ଧୁ ତଥା ଜଣେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞଙ୍କ ହ୍ୱାଟ୍ସ୍ଆପ୍ ମେସେଜ୍ ଆସିଥିଲା ।ସେ ଖୋଲି ଦେଖିଲେ କି ତାଙ୍କର ୩୫ ହଜାର ଟଙ୍କା ନିତ୍ୟାନ୍ତ ଆବଶ୍ୟକତା ଅଛି। ଏଣୁ ସେ ତାଙ୍କୁ ଫୋନ୍ ପେ ନମ୍ବର ମାଗିଲେ। ସେ ତାଙ୍କୁ ଏକ ୟୁପିଆଇ ଆଡ୍ରେସ୍ ଦେଲେ ସେହି ୟୁପିଆଇ ଆଡ୍ରେସ୍ ରେ ଫୋନ୍ ପେ ଜରିଆରେ ପଇସା ପଠାଇବାକୁ ଉଦ୍ୟତ ହେଉଥିଲେ। କିନ୍ତୁ ଏହି ଆଡ୍ରେସ୍ ଫୋନ୍ ପେରେ ଲେଖିବା ପରେ ଡାକ୍ତରଙ୍କ ନାଁ ନ ଆସି ‘ସୁନୀଲ କୁମାର’ ବୋଲି ଆସିଲା। ଏଣୁ ସେ ସନ୍ଦେହ କରିବାରୁ ଡାକ୍ତର ବନ୍ଧୁଙ୍କୁ ଫୋନ୍ ଲଗାଇଥିଲେ। ଡାକ୍ତର ବନ୍ଧୁ ଜଣକ କହିଥିଲେ କି ସକାଳୁ କିଏ ଏଭଳି ହ୍ୟାକ୍ କରି ମୋ ମୋବାଇଲ୍ ନମ୍ବରରୁ କଣ୍ଟାକ୍ଟ ମାନଙ୍କୁ ହ୍ୱାଟ୍ସଆପ୍ ଜରିଆରେ ପଇସା ମାଗୁଛି। ମୋବାଇଲ୍ ଫୋନ୍ ତ ମୋ ପାଖରେ ଅଛି କିନ୍ତୁ ମୋ ହ୍ୱାଟ୍ସଆପ୍ କୁ କିଏ କେମିତି ବ୍ୟବହାର କରିପାରୁଛି। ଏଭଳି କହି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଅଭିଯୋଗ କରିବା ପାଇଁ ସାଇବର ଥାନା ଯାଇଥିଲେ ।ଘଟଣା ପ୍ରଚାର ହେବା ପରେ ଏଭଳି ଏକ ବିଚିତ୍ର ଠକେଇ ପ୍ରକ୍ରିୟା ସମସ୍ତଙ୍କୁ ବ୍ୟଥିତ କରିଛି। ମୋବାଇଲ୍ ନିଜ ପାଖରେ ଥିଲେ ମଧ୍ୟ ତୁମ ନମ୍ବର ବ୍ୟବହାର କରି କିଏ କାହାକୁ ଟଙ୍କା ମାଗିବା ଘଟଣା କେହି ବିଶ୍ୱାସ କରିପାରୁ ନାହାନ୍ତି। କିନ୍ତୁ ଘଟଣା ସତ ହୋଇଥିବାରୁ ଉଦ୍?ବେଗ ପ୍ରକାଶ ପାଇଛି। ଠକ ଦେଇଥିବା ଫୋନ୍ ପେ ଆଡ୍ରେସ୍ କୁ ଟ୍ରାକ୍ କରି ଠକକୁ ଧରିଲେ ଯାଇ ସତ୍ୟ ଜଣାପଡ଼ିବା ସହ ସମସ୍ତେ ସତର୍କ ହେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏ ନେଇ ସାଇବର ଥାନା ଇନ୍?ସ୍ପେକ୍ଟର ଗୀତାଞ୍ଜଳି ନାୟକ କହିଛନ୍ତି, ହ୍ୱାଟ୍ସଆପ୍ ଏକ ସମୟରେ ଭିନ୍ନ ଭିନ୍ନ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ଲଗ୍ ଇନ୍ କରାଯାଇ ପାରିବ । ନିଜ ମୋବାଇଲ୍ ଛଡ଼ା ଅନ୍ୟ କେଉଁଠି ଲଗ୍ ଇନ ଥିଲେ, ଅନ୍ୟ କେହି ବ୍ୟବହାର କରି ଯେ କୌଣସି ଲୋକକୁ ମେସେଜ୍ ଦେଇ ପାରିବ ।
