ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି। ବଢ଼ିଲା ଅଫିସରଙ୍କ ଆର୍ôଥକ କ୍ଷମତା। ଦ୍ରବ୍ୟ କ୍ରୟ କ୍ଷେତ୍ରରେ ବିଭାଗୀୟ ମୁଖ୍ୟମାନେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ସଚିବମାନେ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ମଞ୍ଜୁର କରିପାରିବେ। ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କ୍ରୟ କିମ୍ବା ପରାମର୍ଶଦାତା ସେବା ନିଯୁକ୍ତି ପାଇଁ କ୍ୟାବିନେଟ୍ଙ୍କ ମଞ୍ଜୁରୀ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଏବଂ ଗତିଶୀଳତା ଆଣିବା ପାଇଁ ଓଡ଼ିଶା ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ୧୯୭୮ ମସିହାର ଆର୍ôଥକ କ୍ଷମତା ପ୍ରତିନିଧିତ୍ୱ ନିୟମାବଳୀ ରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ପଦାଧିକାରୀଙ୍କ ଖର୍ଚ୍ଚ କରିବାର କ୍ଷମତାକୁ ବହୁଗୁଣିତ କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ଏହି ନିୟମାବଳୀ ଅନୁଯାୟୀ, ଏବେ ଅନେକ କ୍ଷେତ୍ରରେ କ୍ୟାବିନେଟ୍ ବା ମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷା ନକରି ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନେ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରିବେ। ନୂତନ ନିୟମ ଅନୁସାରେ, ପ୍ରଶାସନିକ ବିଭାଗର ସଚିବମାନଙ୍କୁ ଆନୁଷଙ୍ଗିକ ଖର୍ଚ୍ଚ କ୍ଷେତ୍ରରେ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ଜଳସମ୍ପଦ, ପୂର୍ତ୍ତ ଏବଂ ଶକ୍ତି ଭଳି ବିଭାଗଗୁଡ଼ିକୁ ଯୋଗାଯୋଗ, ଜଳସେଚନ ଓ ବିଦ୍ୟୁତ ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷମତା ପ୍ରଦାନ କରାଯାଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଅଧିକ ଶକ୍ତିଶାଳୀ କରାଯାଇଛି। ଏବେ ଜିଲ୍ଲାପାଳମାନେ ଅଣ- ଆବାସିକ ଗୃହ ନିର୍ମାଣ ପାଇଁ ୮ କୋଟି ଏବଂ ପାନୀୟ ଜଳ ପ୍ରକଳ୍ପ ପାଇଁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଅନୁମୋଦନ କରିପାରିବେ।
