ପୁରୀ: ପୁରୀ ଜିଲ୍ଲାରେ ଆଧୁନିକ ସାଇବର ଅପରାଧ ଓ ଏଆଇ ସମ୍ପର୍କିତ ଏକ ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇ ବୁଧବାର ତାହାର ସମାପନ ଘଟିଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୬ ତାରିଖରେ ଏସପି ପ୍ରତୀକ ସିଂହଙ୍କ ଦ୍ୱାରା ପୋଲିସ ଲାଇନ ଠାରେ ଉଦଘାଟିତ ହୋଇଯାଇଛି । ଏହି ଉନ୍ନତ ପ୍ରଶିକ୍ଷଣରେ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଥାନାର ଥାନା ଅଧିକାରୀମାନେ, ସାଇବର ପୋଲିସ ଷ୍ଟେସନର ଡିଏସପି ରାଜକୁମାର ପରିଡା, ଆଇଆଇସି ଗୀତାଞ୍ଜଳି ନାୟକ ଏବଂ ବିଭିନ୍ନ ପୋଲିସ ଅଧିକାରୀ ( ଏସଆଇ/ଏଏସଆଇ ) ମାନେ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୋଲିସ କର୍ମଚାରୀମାନଙ୍କୁ ଆଧୁନିକ ସାଇବର ଅପରାଧ ତଦନ୍ତ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷିତ କରିବା ସହ ଟେକ୍ନୋଲୋଜି ଆଧାରିତ ତଦନ୍ତକୁ ଆହୁରି ସକ୍ଷମ କରିବା। ପ୍ରଶିକ୍ଷଣ ସମୟରେ ଆଇପା ଆନାଲିସିସ, , ଆଇପି ଟ୍ରାକିଙ୍ଗ , ଏଚଏଲ ଆର/ ଭିଏଲଆର ତଥ୍ୟ ବିଶ୍ଳେଷଣ, ଏମଏସି ଆଡ୍ରେସ ଟ୍ରାକିଙ୍ଗ, ଆଇପି ଡିଆର ଆନାଲିସିସ,ଲୋକେସନ ଟ୍ରାକିଙ୍ଗ ଓ ରିଜର୍ଭ ଇଞ୍ଜିନିୟରିଙ୍ଗ ପରି ଅତ୍ୟାଧୁନିକ ତଦନ୍ତ ପ୍ରଣାଳୀ ଉପରେ ବିସ୍ତୃତ ଆଲୋଚନା ଓ ପ୍ରାୟୋଗିକ ଶିକ୍ଷା ଦିଆଯାଇଥିଲା। ଏହା ସହ ଅନଲାଇନ ବ୍ୟାଙ୍କ ଠକେଇ, ଡିଜିଟାଲ ଟ୍ରାଞ୍ଜାକ୍ସନ ଟ୍ରାକିଂ ଓ କ୍ରିପ୍େଟାକରେନ୍ସି ମାଧ୍ୟମରେ ହେଉଥିବା ଅପରାଧର ତଦନ୍ତ ଓ ମନି ଲଣ୍ଡ୍ରିଙ୍ଗ ବିଶ୍ଳେଷଣ ଉପରେ ବିଶେଷ ଜୋର ଦିଆଯାଇଥିଲା। ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ହେଉଥିବା ଅପରାଧ ଚିହ୍ନଟ କରିବା ପାଇଁ ଆବଶ୍ୟକ ଟେକ୍ନିକାଲ ଜ୍ଞାନ ଓ ପ୍ରୟୋଗୀକ କୌଶଳରେ ଅଂଶଗ୍ରହୀମାନେ ପାରଦର୍ଶିତା ଲାଭ କରିଥିଲେ।

ପ୍ରଶିକ୍ଷଣରେ ସିମ କାର୍ଡ, ମୋବାଇଲ ଡିଭାଇସ ଓ ଲାପଟପ ବ୍ଯବହାର କରି ସାଇବର ଅପରାଧ କିପରି କରାଯାଉଛି ଓ ତାହାର ତଦନ୍ତ କିପରି କରିବା ଯାଏ, ସେଥିପାଇଁ ବିଶେଷ ଶିକ୍ଷା ଦିଆଯାଇଥିଲା। ଦେଶ ବାହାରରୁ ଅପରାଧ କରୁଥିବା ଅଭିଯୁକ୍ତମାନଙ୍କୁ ସୁଦ୍ଧା ଗ୍ଲୋବାଲ ଡିଜିଟାଲ ଇଣ୍ଟେଲିଜେନ୍ସ ଓ ଆଧୁନିକ ଟୁଲ୍ସ ମାଧ୍ୟମରେ ଚିହ୍ନଟ ଓ ଟ୍ରାକ୍ କରିବା ପାଇଁ ପୋଲିସ ଅଧିକାରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଛି।ଏଆଇ ଓ ଓଏସଆଇଏନଟି (ଓପନ ସୋର୍ସ ଇଣ୍ଟିଲିଜେନ୍ସ) ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇ, ତଥ୍ୟ ବିଶ୍ଳେଷଣ, ପ୍ୟାଟର୍ନ ଚିହ୍ନଟ ଓ ଲୁଚିଥିବା ଡିଜିଟାଲ ପ୍ରମାଣ ଖୋଜିବାରେ ପୋଲିସର କ୍ଷମତାକୁ ଆହୁରି ବୃଦ୍ଧି କରାଯାଇଛି।ଏହି ପ୍ରଶିକ୍ଷଣ ପରେ ପୁରୀ ପୋଲିସ ସାଇବର ଅପରାଧ ତଦନ୍ତରେ ଆହୁରି ସକ୍ଷମ, ସୁଚୁକ୍ଷ ଓ କ୍ଷମତାଶୀଳ ହୋଇଉଠିବ। ଆଧୁନିକ ପ୍ରଯୁକ୍ତି ଓ ଡିଜିଟାଲ ଇଣ୍ଟେଲିଜେନ୍ସର ସହାୟତାରେ ଜଟିଳ ସାଇବର ଅପରାଧକୁ ସଫଳତାର ସହ ମୁକାବିଲା କରିବାରେ ପୁରୀ ପୋଲିସ ବିଭାଗ ପ୍ରସ୍ତୁତ ଅଛି। ପୁରୀ ପୋଲିସ ସମସ୍ତ ସାଇବର ଅପରାଧୀମାନଙ୍କୁ କଡା ସତର୍କବାଣୀ ଦେଇଛି ଯେ ସେମାନେ କେଉଁଠିରୁ ଅପରାଧ କରୁନାହିଁ, ପ୍ରତ୍ୟେକ ଡିଜିଟାଲ କାର୍ଯ୍ୟକଳାପର ଚିହ୍ନ ରହିଥାଏ। ଆଧୁନିକ ତଦନ୍ତ ପ୍ରଣାଳୀ ଓ ଏଆଇ ଆଧାରିତ ବିଶ୍ଳେଷଣ ମାଧ୍ୟମରେ ସେହି ଚିହ୍ନକୁ ଅନୁସରଣ କରି ଅପରାଧୀଙ୍କୁ ଚିହ୍ନଟ କରି ଆଇନ ଅନୁସାରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ। ପୁରୀ ପୋଲିସ ସଦା ଟେକ୍ନୋଲୋଜି ଆଧାରିତ ସ୍ମାର୍ଟ ପୋଲିସିଂ ପାଇଁ ପ୍ରତିବଦ୍ଧ ଓ ଆଗାମୀ ଦିନରେ ମଧ୍ୟ ଏପରି ପ୍ରଶିକ୍ଷଣ କାର୍ୟକ୍ରମ ମାଧ୍ୟମରେ ନିଜର କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବ।
