ବାରିପଦା; ମୟୂରଭଞ୍ଜ ଜିଲ୍ଲା, ପୂର୍ତ୍ତ ରାସ୍ତା ର ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ଶୁକୃଳି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଶୁକୃଳି ପ୍ଲାଣ୍ଟରୁ ଫେରୁଥିବା ଏକ ୨୨ ଚକିଆ ଟ୍ରଲର ଦୁର୍ଘଟଣା ଯୋଗୁଁ ଦୁଇଜଣ ନିରୀହ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବାର କ୍ଟ୍ରଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇବା ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମୃତକମାନଙ୍କ ମଧ୍ୟରୁ ଜଣେ ଧାଙ୍ଗରେବେଡ଼ା ଗ୍ରାମର ବିପିନ ନାଏକ ହୋଇଥିବା ବେଳେ ଅନ୍ୟଜଣଙ୍କ ନାମ ରହିଦାସ ଗିଲୁଆ ବୋଲି ଜଣାପଡ଼ିଛି। ଉଭୟଙ୍କ ଅକାଳ ବିୟୋଗରେ ପରିବାର ସଦସ୍ୟଙ୍କ ସମେତ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁର୍ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଘଟଣାସ୍ଥଳ ନିକଟରେ ଥିବା ଦୀପକ ଘଣା ବ୍ରିକ୍ସ ପ୍ଲାଣ୍ଟର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ର ଅଭିଯୋଗ ରହିଛି। ଏହି ସିସିଟିଭି ଫୁଟେଜ୍ ପୋଲିସ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସାବ୍ୟସ୍ତ ହୋଇପାରେ ବୋଲି ସ୍ଥାନୀୟମାନେ ଆଶା ପ୍ରକାଶ କରିଛନ୍ତି। ଘଟଣା ପରେ ଅଞ୍ଚଳବାସୀ ପ୍ଲାଣ୍ଟରୁ ଚଳାଚଳ କରୁଥିବା ଭାରୀ ଯାନବାହନର ବେପରୁଆ ଗତିକୁ ନେଇ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ, ପ୍ରତିଦିନ ଏହି ରାସ୍ତାରେ ଭାରୀ ଯାନଗୁଡ଼ିକ ଅତ୍ୟଧିକ ବେଗରେ ଚଳାଚଳ କରୁଥିବାରୁ ସାଧାରଣ ଲୋକଙ୍କ ଜୀବନ ସବୁବେଳେ ବିପଦରେ ରହୁଛି। ପୂର୍ବରୁ ମଧ୍ୟ ଏଭଳି ଅନେକ ଦୁର୍ଘଟଣା ଘଟିଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକ ପ୍ରଶାସନ ଓ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଭାରୀ ଯାନବାହନର ଗତି ନିୟନ୍ତ୍ରଣ, ଟ୍ରାଫିକ୍ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ ଦୁର୍ଘଟଣାର ପ୍ରକୃତ କାରଣ କିମ୍ବା ଦାୟିତ୍ୱ ସମ୍ପର୍କରେ କୌଣସି ଚୂଡ଼ାନ୍ତ ସୂଚନା ପ୍ରକାଶ କରାଯାଇନାହିଁ। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଦାୟୀ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି। ହେଲେ ପୂର୍ତ୍ତ କର୍ତୃପକ୍ଷ ରାସ୍ତା ଅବସ୍ଥା କୁ ଶୀଘ୍ର ସୁଧାରିଲେ ରାସ୍ତା ଦୁର୍ଘଟଣା କେତେକ ପରିମାଣ ରେ ହ୍ରାସ ପାଇବ ବୋଲି ସାଧାରଣ ରେ କୁହାଯାଉଛି ।
