କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅଧୀନ ଡହାଗାଁଠାରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବାଘ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ନେଇ ସୂଚନା ପାଇବା ପରେ ବନ ବିଭାଗ ଅଚାନକ ଚଢ଼ଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବାଘଛାଲ,୧୪ ଟି ନଖ ଓ ଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ନବରଙ୍ଗପୁର (ହିର୍ଲି ଡଙ୍ଗର) ଅଞ୍ଚଳର ସୁକେନ ଗୌଡ଼ ବୋଲି ବନ ବିଭାଗ ସୂଚନା ଦେଇଛି । ଗୁରୁବାର ଡହାଗାଁ ନିକଟରେ ସୁକେନ ଗୌଡ଼ ବାଘଛାଲ ଓ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ନେଇ ବନ ବିଭାଗ ନିକଟରେ ଗୁପ୍ତ ଖବର ପହଞ୍ଚିଥିଲା। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏସିଏଫ୍?ଙ୍କ ତତ୍ତ୍ୱାବଧାନରେ ଏକ ବିଶେଷ ଟିମ୍ ଗଠନ କରାଯାଇ ଚଢ଼ଉ କରାଯାଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତଙ୍କୁ କାବୁ କରାଯିବା ସହ ଜବତ ସାମଗ୍ରୀ ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ଉରେ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ସୀମାଞ୍ଚଳ ମିଶ୍ରଙ୍କ ସମେତ ବେହେରା ସେକ୍ସନ ଫରେଷ୍ଠର କ୍ଷୀରୋଦ ଚନ୍ଦ୍ର ସେଠ, ବନରକ୍ଷୀ ଲଳିତ ନାଏକ, ଜଗନ୍ନାଥ ନାଏକ, ପ୍ରଭାସିନୀ ଗୋପାଳ, ପାରାଷ୍ଟାଫ୍ କ୍ଷତ୍ରିୟ ନାଏକ ମାନସ ସାମିଲ ଥିଲେ।
