ପିପିଲି : ରାଜ୍ୟ ଆର୍ଥଲେଟିକ୍ ପ୍ରତିଯୋଗିତାରେ ରୌପ୍ୟ ଓ ବ୍ରୋଞ୍ଚ ଦୁଇଟି ପଦକ ହାସଲ କରି ପିପିଲି ପାଇଁ ଗୈରବ ଆଣିଛନ୍ତି ପିପିଲି ଇନଫୋର୍ସ ଏକାଡେମୀର ଛାତ୍ରୀ ନିବେଦିତା ମଲ୍ଲିକ। କଟକ ସ୍ଥିତ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପ୍ରଥମ କରି ସ୍ପ୍ରିଣ୍ଟ୍ ରାଜ୍ୟ ସ୍ତରୀୟ ଆର୍ଥଲେଟିକ୍ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ ଛାତ୍ରୀ ନିବେଦିତା । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଶତାଧିକ ଦକ୍ଷ ଖେଳାଳି ମାନେ ଅଂଶ ଗ୍ରହଣ କରିଥିଲେ । ଏଥିମଧ୍ୟରୁ ଶେଷ ପର୍ଯ୍ୟାୟ ପ୍ରର୍ଯ୍ୟନ୍ତ ୧୦୦ମିଟର ଦୌଡ଼ ପ୍ରତିଯୋଗିତା କରି ନିବେଦିତା ବ୍ରୋଞ୍ଚ ପଦକ ହାସଲ କରିଥିବା ବେଳେ ୨୦୦ମିଟର ଦୌଡ଼ ପ୍ରତିଯୋଗିତା ରେ ସେ ରୌପ୍ୟପଦକ ହାସଲ କରିଛନ୍ତି । ଏନେଇ ପିପିଲି ଅଞ୍ଚଳର ବୁଦ୍ଧିଜୀବି ଓ କ୍ରୀଡାବିତ ମାନେ ନିବେଦିତା ଙ୍କୁ ବହୁ ପ୍ରଶଂସା କରିବା ସହ ଆହୁରି ସଫଳତା ପାଇଁ ପ୍ରେରଣା ଦେଇଛନ୍ତି। ପୁରୀ ଜିଲ୍ଲା ପିପିଲି ଅଞ୍ଚଳ ପାଇଁ ସେ ଦୁଇ ଦୁଇଟି ପଦକ ହାସଲ କରି ପିପିଲି ପାଇଁ ଗୈରବ ଆଣିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ୫ ବର୍ଷ ଧରି ନିବେଦିତା ପିପିଲି ଇନଫୋର୍ସ ଏକାଡେମୀ ରେ ପ୍ରଶିକ୍ଷଣ ନେଇଥିଲେ। ଏନେଇ ଏକାଡେମୀ ପକ୍ଷରୁ ନିର୍ଦ୍ଦେଶକ ସରୋଜ ସ୍ୱାଇଁ ଓ ପ୍ରଶିକ୍ଷକ ମାନେ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ଜଣାଇଛନ୍ତି। ୫ଥର ଏହି ଭଳି ରାଜ୍ୟ ସ୍ତରୀୟ ଆର୍ଥଲେଟିକ୍ ପ୍ରତିଯୋଗିତାରେ ସେ ଭାଗ ନେଇ ଆସୁଥିବା ବେଳେ ଆଗାମୀ ଦିନରେ ସେ ଆହୁରି ଭଲ ପ୍ରଦର୍ଶନ କରି ଅଂଚଳ ପାଇଁ ସୁନାମ ଆଣିବେ ବୋଲି ନିବେଦିତା କହିଛନ୍ତି।
