କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଡି.କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ବରିଷ୍ଠ ବିଜେପି ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଛୁରି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ରହିଛି।ସନ୍ଧ୍ୟାରେ କାମ ସାରି ଘରକୁ ଫେରିବା ପରେ ଗାଁର ଏକ ସାହିକୁ ଯାଇ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମ. ରାମପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାକୁ ନେଇ ଅଞ୍ଚଳରେ ଭୟ ଓ ଉଦ୍ୱେଗର ପରିବେଶ ସୃଷ୍ଟି ହୋଇଛି। ପୂର୍ବ ବିବାଦ, ରାଜନୈତିକ ଶତ୍ରୁତା କିମ୍ବା ଠିକା କାମକୁ ନେଇ ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ, ଏହାର କୌଣସି ସରକାରୀ ଦୃଷ୍ଟି ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ବଡ଼ ସୁରକ୍ଷାର ଦାବି ମଧ୍ୟରେ ଯଦି ଜଣେ ଜନପ୍ରତିନିଧିଙ୍କ ପରିବାରର ସଦସ୍ୟ ମଧ୍ୟ ଦିନଦହାଡ଼େ କିମ୍ବା ସର୍ବସାଧାରଣ ରାସ୍ତାରେ ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏବେ ସମସ୍ତଙ୍କ ନଜର ପୁଲିସ ତଦନ୍ତ କରି ଦୋଷୀଙ୍କ ବିରୋଧରେ କେମିତି କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା ।
