କଳାହାଣ୍ଡି: କଳାହାଣ୍ଡି ଜ଼ିଲ୍ଲା କଲମପୁର ଥାନା ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ ବିବାଦକୁ ନେଇ ନିଜ ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।ମୃତକ ହେଲେ ନୂଆଗୁଡ଼ା ଗ୍ରାମର ଆଲୋକ ରଞ୍ଜନ ଗହିର (୨୦)। ଅଭିଯୋଗ ଅନୁଯାୟୀ, ଆଲୋକଙ୍କ ବାପା ମାନସିଂ ଗହିର (୫୫) ଟଙ୍କା ମାଗିଥିଲେ। ଟଙ୍କା ନମିଳିବାରୁ ବାପା-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତ୍ତେଜିତ ହୋଇ ମାନସିଂ କାଠ ଫାଳିଆରେ ଆଲୋକଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ରହିଛି।ଗୁରୁତର ଅବସ୍ଥାରେ ଆଲୋକଙ୍କୁ ତାଙ୍କ ବଡ଼ ଭାଇ ଦୀପକ ରଞ୍ଜନ ଗହିର ଓ ପରିବାର ଲୋକେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଆଶୁତୋଷ ପରିଡ଼ା ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ହସ୍ପିଟାଲ ପକ୍ଷରୁ କଲମପୁର ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା।ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପା ମାନସିଂ ଗହିରଙ୍କୁ ଅଟକ ରଖିଛି। ଏହାସହ ଭାରତୀୟ ନ୍ୟାୟ ସଂହିତା (ଈଘଝ)ର ଧାରା ୧୦୩(୧) ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖୁଛି।ଏହି ଘଟଣାକୁ ନେଇ ନୂଆଗୁଡ଼ା ଗ୍ରାମରେ
ଶୋକର ଛାୟା ଖେଳିଯାଇଛି।
