ନୂଆଦିଲ୍ଲୀ: ଇରାନର ଚାବହାର ମୁକ୍ତ ବାଣିଜ୍ୟ ଜୋନ ନିକଟରେ ହମଲା। ଏକାଧିକ ବିସ୍ଫୋରଣରେ ଥରି ଉଠିଛି ଏହି ଅଞ୍ଚଳ। ସୋମବାର ଆମେରିକା ଏଠାରେ ଘନଘନ ଏୟାର ଷ୍ଟ୍ରାଇକ କରିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଚାବହାର ମୁକ୍ତ ବାଣିଜ୍ୟ ଜୋନ ନିକଟରେ ଥିବା ଇରାନ ସାମରିକ ଘାଟିକୁ ଟାର୍ଗେଟ କରି ଆମେରିକା ଆକାଶ ମାର୍ଗରୁ ବୋମା ବର୍ଷଣ କରିଛି। ଏକାଧିକ ଯୁଦ୍ଧ ବିମାନ ଦ୍ୱାରା ଏୟାର ଷ୍ଟ୍ରାଇକ କରାଯାଇଛି। ଏଥିରେ ଅନେକ ଇରାନୀୟ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଘାଟିଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ମୁକ୍ତ ବାଣିଜ୍ୟ ଜୋନଟି ଇରାନର ଦକ୍ଷିଣ ପ୍ରାନ୍ତରେ ଥିବା ସିସ୍ତାନ ଓ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶ ନିକଟ ଅବସ୍ଥିତ। ୧୯୯୨ ଅବସ୍ଥାପିତ ଏହି ସ୍ଥାନଟି ବିଦେଶୀ ନିବେଶକଙ୍କୁ ବେଶ ଆକୃଷ୍ଟ କରିଥାଏ। କାରଣ ପାରମ୍ପରିକ ଓ ବ୍ୟସ୍ତବହୁଳ ବାଣିଜ୍ୟ ଜୋନକୁ ବାଇପାସ କରିବାକୁ ଚାବହାର ମୁକ୍ତ ବାଣିଜ୍ୟ ଜୋନ ସହାୟତା କରିଥାଏ। ଏହି କାରଣ ପାଇଁ ନିବେଶକମାନେ ଏହାକୁ ବେଶ ପସନ୍ଦ କରନ୍ତି।ଚାବହାର ମୁକ୍ତ ବାଣିଜ୍ୟ ଜୋନ ଗୋଟିଏ ପ୍ରମୁଖ ଶିଳ୍ପାୟନ ଓ ଟ୍ରାଞ୍ଜିଟ ହବ ଭାବେ କାମ କରିଥାଏ। ଏହା ଇରାନର ଏକମାତ୍ର ସାମୁଦ୍ରିକ ପୋର୍ଟ ଯାହା ସିଧାସଳଖ ଭାରତ ମହାସାଗରକୁ ସଂଯୋଗ କରୁଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ପ୍ରଥମଥର ଚାବହାର ନିକଟରେ ଆମେରିକା ଆକ୍ରମଣ କରିନାହିଁ। ଏହାପୂର୍ବରୁ ଫେବୃଆରୀ ୨୮ ଅର୍ଥାତ ଯୁଦ୍ଧର ପ୍ରଥମ ଦିନରେ ମଧ୍ୟ ଆମେରିକା ପକ୍ଷରୁ ଏଠାରେ ଆକ୍ରମଣ କରାଯାଇଥିଲା। ପ୍ରଥମ ଦିନରେ ଇରାନ ସେତେଟା କ୍ଷତି ସହି ନଥିଲା। କିନ୍ତୁ ଆଜି ହୋଇଥିବା ଏୟାର ଷ୍ଟ୍ରାଇକରେ ଇରାନ ବ୍ୟାପକ କ୍ଷତି ସହିଥିବା ଜଣାପଡ଼ିଛି। ଏବେ ଇରାନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଥିଲେ ହେଁ ଏଯାଏ ଇରାନ ପକ୍ଷରୁ ଏୟାର ଷ୍ଟ୍ରାଇକ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନରେ ଏକ ବଡ଼ ଆକ୍ରମଣ କରିଛି ଇସ୍ରାଏଲ। ଇସ୍ରାଏଲୀ ସେନା ଦାବି କରିଛି ଯେ , ଏହା ତେହେରାନର ଏକ ପ୍ରମୁଖ ମହାକାଶ କେନ୍ଦ୍ରକୁ ଧ୍ୱଂସ କରିଛି , ଯାହାର ବ୍ୟବହାର ଉପଗ୍ରହରେ ଆକ୍ରମଣ କରିବାର କ୍ଷମତା ବିକାଶ ପାଇଁ ହେଉ ଥିଲା। ଇସ୍ରାଏଲର ବାୟୁସେନା ଅନୁଯାୟୀ, ଏହି କେନ୍ଦ୍ରରୁ ଏମିତି ଆକ୍ରମଣାତ୍ମକମହାକାଶ କାର୍ଯ୍ୟକ୍ରମ ବିକଶିତ କରାଯାଉ ଥିଲା , ଯାହାର ଉଦ୍ଦେଶ୍ୟ ଅନ୍ୟ ଦେଶର ଉପଗ୍ରହକୁ କ୍ଷତି ପହଞ୍ଚାଇବାର କ୍ଷମତା ହାସଲ କରିବା ଥିଲା। ଏହିପରି କ୍ଷମତା ଇସ୍ରାଏଲ ସରକାରଙ୍କ ଉପଗ୍ରହକୁ କ୍ଷତି ପହଞ୍ଚାଇ ପାରେ। ଏହାସହ ଇରାନ ବିଶ୍ୱର ଅନ୍ୟ ଦେଶର ଉପଗ୍ରହ ପାଇଁ ମଧ୍ୟ ବିପଦ ସୃଷ୍ଟି କରି ପାରେ। ଏହି କାର୍ଯ୍ୟକ୍ରମ ଗୁଡ଼ିକର ଏକ ଅଂଶ ଭାବରେ ‘ଚମରାନ-୧’ ଉପଗ୍ରହ ବିକଶିତ ହୋଇଥିଲା। ଏହା ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟର ଇଲେକ୍ଟ୍ରୋନିକ୍ସ ଶିଳ୍ପ ଦ୍ୱାରା ନିର୍ମିତ ହୋଇଥିଲା। ଏହାକୁ ସେପ୍େଟମ୍ବର ୨୦୨୪ ରେ ଉତକ୍ଷେପଣ କରାଯାଇଛି ।
