ନବରଙ୍ଗପୁର: ଏକ ଟ୍ରିପଲ୍ ମର୍ଡର ମାମଲାରେ ନିର୍ଦ୍ଦୋଷ ହୋଇ ମଧ୍ୟ ଦୀର୍ଘ ୨୨ ବର୍ଷ କାରାଗାରରେ ବିତାଇବା ପରେ ଶେଷରେ ନ୍ୟାୟ ପାଇଛନ୍ତି ନବରଙ୍ଗପୁର ଜିଲ୍ଲା ହିର୍ଲି ଗାଁର ଅର୍ଜୁନ ଜାନି। ମଙ୍ଗଳବାର ସୁପ୍ରିମ୍ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତାଙ୍କ ବିରୋଧରେ ଦାଖଲ ହୋଇଥିବା ପ୍ରମାଣଗୁଡ଼ିକ ‘ଅବିଶ୍ୱସନୀୟ’ ବୋଲି ଦର୍ଶାଇବା ସହ ଓଡ଼ିଶା ହାଇକୋର୍ଟଙ୍କ ଏକ ପ୍ରକ୍ରିୟାଗତ ତ୍ରୁଟି ଯୋଗୁଁ ଅର୍ଜୁନଙ୍କୁ ଆଉ ଅତିରିକ୍ତ ୧୦ ବର୍ଷ ଜେଲ୍ରେ ରହିବାକୁ ପଡ଼ିଲା ବୋଲି କହି ସର୍ବୋଚ୍ଚ ଅଦାଲତ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ କରିଛନ୍ତି।ଜଷ୍ଟିସ୍ ଜେ.ବି. ପାର୍ଡିୱାଲା ଏବଂ ଜଷ୍ଟିସ୍ କେ. ଭିନୋଦ ଚନ୍ଦ୍ରନ୍ଙ୍କ ପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ ସମାଜର ଅବହେଳିତ/ପଛୁଆ ବର୍ଗଙ୍କ ନିକଟରେ ନ୍ୟାୟ ଏବେ ବି ଅପହଞ୍ଚ ହୋଇ ରହିଯାଇଛି। ଏହାସହ ଅର୍ଜୁନଙ୍କ ପୁନର୍ବାସ ଏବଂ ସ୍ଥାୟୀ ରହିବା ବ୍ୟବସ୍ଥାରେ ଆବଶ୍ୟକ ସାହାଯ୍ୟ ଯୋଗାଇଦେବାକୁ ସୁପ୍ରିମ୍ କୋର୍ଟ ଜିଲ୍ଲା ପ୍ରଶାସନ ଏବଂ ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୪ରେ ତିନିଜଣଙ୍କୁ ହତ୍ୟା ମାମଲାରେ ଅର୍ଜୁନ ଜାନିଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ୨୦୦୬ରେ ଟ୍ରାଏଲ୍ କୋର୍ଟ (ନିମ୍ନ ଅଦାଲତ) ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ୨୦୧୬ (ଜାନୁଆରୀ ୧୧)ରେ ୩,୧୫୭ ଦିନର ଆବେଦନ ବିଳମ୍ବ ଦର୍ଶାଇ ଓଡ଼ିଶା ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପରେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯାହା ପରେ ଗତ ମେ’ ମାସରେ କୋର୍ଟ ତାଙ୍କୁ ଜାମିନ ଦେଇ ଆବେଦନ ଗ୍ରହଣ କରିଥିଲେ। ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ଟ୍ରାଏଲ୍ କୋର୍ଟ ପ୍ରମାଣଗୁଡ଼ିକର ସଠିକ୍ ଆକଳନ କରିବାରେ ବିଫଳ ହୋଇଥିବା ବେଳେ ହାଇକୋର୍ଟ ପ୍ରକ୍ରିୟାଗତ କାରଣ ଦର୍ଶାଇ ଆବେଦନକୁ ଖାରଜ କରି କେବଳ ‘ନୀରବ ଦ୍ରଷ୍ଟା’ ସାଜି ରହିଗଲେ। କୋର୍ଟ ଆହୁରି କହିଛନ୍ତି ଯେ ୩୧୫୭ ଦିନର ବିଳମ୍ବକୁ ନାକଚ କରି ହାଇକୋର୍ଟ ଆବେଦନ ଖାରଜ କରିବା ନିଷ୍ପତ୍ତି ଆମକୁ ଅତ୍ୟନ୍ତ ଦୁଃଖିତ ଓ ଚିନ୍ତିତ କରିଛି। ଯେଉଁଠାରେ ଆଦେଶ ଆସିବା ବେଳକୁ ଅଭିଯୁକ୍ତ ୧୨ ବର୍ଷ ଜେଲ୍ରେ କାଟିସାରିଥିଲେ, ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ତାଙ୍କୁ ଆଉ ୧୦ ବର୍ଷ ଅତିରିକ୍ତ ଜେଲ୍ ଭୋଗିବାକୁ ପଡ଼ିଲା। କୌଣସି ନିର୍ଭରଯୋଗ୍ୟ ପ୍ରମାଣ ନଥାଇ ଜଣେ ନିରୀହ ବ୍ୟକ୍ତି ନିଜ ଜୀବନର ୨୨ ବର୍ଷ କାରାଗାର ଭିତରେ ବିତାଇଦେଲେ
