ପୁରୀ: କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର, ପୁରୀ ପକ୍ଷରୁ ‘ସମର୍ଥ ନାରୀ: ସମୃଦ୍ଧ ଭାରତ’ ଯୋଜନା ଅନ୍ତର୍ଗତ ଏକ ପାଞ୍ଚ ଦିନିଆ ଚାରୁକଳା ( ଫାଇନ ଆର୍ଟ୍ସ ) କର୍ମଶାଳା ସୋମବାର ଅପରାହ୍ନରେ ଜୟଦେବ ସଭାଗାରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ିଙ୍କର ସଂରକ୍ଷଣ ରେ ଓ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି। ମାର୍ଚ୍ଚ ୧୬ ରୁ ୨୦ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ଓଡ଼ିଶାର ପାରମ୍ପରିକ କଳା ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଧ୍ୟାୟୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।କାର୍ୟ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ହିମାଚଳ ପ୍ରଦେଶ ବେଦବ୍ୟାସ ପରିସରର ନିର୍ଦ୍ଦେଶକ ପ୍ରଫେସର ସତ୍ୟମ୍ କୁମାରୀ ଯୋଗଦେଇ ନାରୀ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, “ଯେତେବେଳେ ଜଣେ ନାରୀ କଳା ଓ କୌଶଳ ମାଧ୍ୟମରେ ସ୍ୱାବଲମ୍ବୀ ହୁଏ, ସେତେବେଳେ ସମାଜ ଓ ରାଷ୍ଟ୍ରର ପ୍ରକୃତ ପ୍ରଗତି ହୁଏ। ‘ସମର୍ଥ ନାରୀ’ ହିଁ ‘ସମୃଦ୍ଧ ଭାରତ’ର ମୂଳ ସ୍ତମ୍ଭ।”ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି ନିଜ ଅଭିଭାଷଣରେ କହିଲେ ଯେ, ସଂସ୍କୃତ ଶିକ୍ଷା ସହିତ ଚାରୁକଳାର ସମନ୍ୱୟ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ସହାୟକ ହେବ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଅଭିନବ ପ୍ରୟାସ ଦ୍ୱାରା ଅଧ୍ୟାୟୀମାନେ ନିଜର ସୃଜନଶୀଳ ଦକ୍ଷତା ବଢ଼ାଇବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ। ଅନ୍ୟତମ ଅତିଥି ତଥା ସର୍ବଦର୍ଶନ ବିଭାଗାଧ୍ୟକ୍ଷା ପ୍ରଫେସର ଗୌରପ୍ରିୟା ଦାଶ ସ୍ୱାଗତ ଭାଷଣ ଦେଇ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପାଞ୍ଚ ଦିନିଆ ଶିବିରରେ ଅଭିଜ୍ଞ ପ୍ରଶିକ୍ଷକମାନଙ୍କ ମାଧ୍ୟମରେ ଅଧ୍ୟାୟୀମାନଙ୍କୁ ପଟ୍ଟଚିତ୍ର, ବାଲୁକା ଶିଳ୍ପ, ଆପ୍ଲିକ କାର୍ଯ୍ୟ ଇତ୍ୟାଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରମାନଙ୍କ ଦ୍ୱାରା ମଙ୍ଗଳାଚରଣ ଓ କୁଳଗୀତ ଗାନ କରାଯାଇଥିଲା। ସହଯୋଗୀ ଆଚାର୍ଯ୍ୟ ଡକ୍ଟର ସାଗରିକା ନନ୍ଦ ପ୍ରାସ୍ତାବିକ ଭାଷଣ ରଖିଥିବା ବେଳେ ଡକ୍ଟର ରଶ୍ମି ମିଶ୍ର କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ସଞ୍ଚାଳନ କରିଥିଲେ। ଶେଷରେ ଡକ୍ଟର ରାଜଶ୍ରୀ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହଟି ରାଷ୍ଟ୍ରଗାନ ସହ ସମ୍ପନ୍ନ ହୋଇଥିଲା।
