ପୁରୀ: ପୁରୀ ପୋଲିସର ଅପରେସନ୍ ଅନ୍ୱେଷଣକୁ ମିଳିଛି ବଡ଼ ସଫଳତା । ପରିବାର ଠାରୁ ବିଚ୍ଛିନ୍ନ ହୋଇ ନିଖୋଜ ହୋଇଥିବା ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସେମାନଙ୍କ ପରିବାର ସହ ପୁନଃମିଳନ କରାଇବାରେ ପୁରୀ ପୋଲିସ ଏକ ଐତିହାସିକ ସଫଳତା ହାସଲ କରିଛି । ଗତ ଜାନୁଆରୀରୁ ଜୁନ୍ ୨୦୨୬ ମଧ୍ୟରେ ୧୧୬୧ ଜଣ ଶିଶୁ ଓ ୩୭୧୩ ଜଣ ମହିଳାଙ୍କୁ ଉଦ୍ଧାର କରି ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି । ଏନେଇ ଏସପି ପ୍ରତୀକ ସିଂ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିରନ୍ତର କାର୍ଯ୍ୟ କରୁଥିବା ପୁରୀ ପୋଲିସ, ଜାନୁଆରୀରୁ ଜୁନ୍ ୨୦୨୬ ମଧ୍ୟରେ ସମୁଦାୟ ୪୮୭୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ସଫଳତାର ସହ ଉଦ୍ଧାର କରି ପରିବାର ସହ ପୁନଃମିଳନ କରାଇଛି । ଏଥିମଧ୍ୟରେ ୧୧୬୧ ଜଣ ନିଖୋଜ ଶିଶୁ ଏବଂ ୩୭୧୩ ଜଣ ନିଖୋଜ ମହିଳା ଅନ୍ତର୍ଭୁକ୍ତ । ଏହି ସଫଳତା କେବଳ ଏକ ନମ୍ବର ନୁହେଁ, ବରଂ ୪୮୭୪ଟି ପରିବାରର ଆଖିରୁ ଲୁହ ପୋଛି ସେମାନଙ୍କ ଜୀବନରେ ପୁଣି ଥରେ ଖୁସି, ଆଶା ଓ ଆତ୍ମବିଶ୍ୱାସ ଫେରାଇ ଆଣିବାର ଏକ ମାନବିକ ପ୍ରୟାସର ସଫଳ ପରିଣାମ ।ପ୍ରତ୍ୟେକ ଉଦ୍ଧାର ପଛରେ ରହିଛି ଜଣେ ମା’ର ଆଖିର ଲୁହ ପୋଛିବାର ସନ୍ତୋଷ, ଜଣେ ବାପାଙ୍କ ଅପେକ୍ଷାର ଅନ୍ତ, ଜଣେ ଶିଶୁର ନିଜ ପରିବାରକୁ ଫେରିବାର ଖୁସି ଏବଂ ଜଣେ ପରିବାରର ଜୀବନରେ ପୁଣିଥରେ ଆଲୋକ ଫେରି ଆସିବାର ଆନନ୍ଦ । ନିଖୋଜ ମହିଳା ଓ ଶିଶୁଙ୍କୁ ଖୋଜି ବାହାର କରିବା ପାଇଁ ମହିଳା ଓ ଶିଶୁ ସୁରକ୍ଷା ଶାଖା ପକ୍ଷରୁ ନିୟମିତ ଭାବେ ‘ଅପରେସନ୍ ଅନ୍ୱେଷଣ’ ନାମକ ସ୍ୱତନ୍ତ୍ର ଅଭିଯାନ ପରିଚାଳନା କରାଯାଉଛି। ଏହି ଅଭିଯାନରେ ପୁରୀ ପୋଲିସର ବିଭିନ୍ନ ଥାନା, ମହିଳା ଓ ଶିଶୁ ସୁରକ୍ଷା ଶାଖା ଏବଂ ଅନ୍ୟାନ୍ୟ ଜିଲ୍ଲା ପୋଲିସ ସହ ସମନ୍ୱୟ ରକ୍ଷା କରି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ କାର୍ଯ୍ୟକୁ ଅଧିକ ଫଳପ୍ରଦ କରାଯାଉଛି । ପୁରୀ ପୋଲିସର ଏହି ସଫଳତା ପଛରେ ରହିଛି ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠା, ପରିଶ୍ରମ, ସମ୍ବେଦନଶୀଳତା ଏବଂ କର୍ତ୍ତବ୍ୟନିଷ୍ଠା ।ନିଖୋଜ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା କେବଳ ଏକ ପ୍ରଶାସନିକ ଦାୟିତ୍ୱ ନୁହେଁ, ବରଂ ଏକ ମାନବିକ କର୍ତ୍ତବ୍ୟ । ପ୍ରତ୍ୟେକ ସଫଳ ଉଦ୍ଧାର ଏକ ପରିବାରର ଜୀବନରେ ନୂଆ ଆଶା ସଞ୍ଚାର କରିଥାଏ । ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପୁରୀ ପୋଲିସର ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି । ଆଗାମୀ ଦିନରେ ମଧ୍ୟ ‘ଅପରେସନ୍ ଅନ୍ୱେଷଣ’ ଭଳି ସ୍ୱତନ୍ତ୍ର ଅଭିଯାନକୁ ଆହୁରି ବ୍ୟାପକ, ପ୍ରଭାବଶାଳୀ ଏବଂ ଜୋରଦାର ଭାବେ ଜାରି ରଖାଯିବ, ଯାହାଦ୍ୱାରା ଅଧିକରୁ ଅଧିକ ନିଖୋଜ ମହିଳା ଓ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସେମାନଙ୍କ ପରିବାର ସହ ପୁନଃମିଳନ କରାଯାଇପାରିବ । ପୁରୀ ଏସପି ପ୍ରତୀକ ସିଂଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ପୋଲିସର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ ଏହି ଉଲ୍ଲେଖନୀୟ ସଫଳତା ସମ୍ଭବ ହୋଇପାରିଛି ।ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ ସାଧାରଣ ଜନତାଙ୍କ ସୁରକ୍ଷା, ମହିଳା ଓ ଶିଶୁଙ୍କ ସୁରକ୍ଷା ଏବଂ ଜନସେବା ପ୍ରତି ସମାନ ନିଷ୍ଠା ଓ ଅଙ୍ଗୀକାର ସହ କାର୍ଯ୍ୟ କରିଚାଲିବ । “ସେବା, ସୁରକ୍ଷା ଓ ସମର୍ପଣ”ର ଆଦର୍ଶକୁ ପାଥେୟ କରି ପୁରୀ ପୋଲିସ ସର୍ବଦା ଜନସାଧାରଣଙ୍କ ବିଶ୍ୱାସ ଓ ଭରସାକୁ ଅତୁଟ ରଖିବା ପାଇଁ ପ୍ରତିବଦ୍ଧ । ଏନେଇ ପୁରୀ ଏସପି ପ୍ରତୀକ ସିଂ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
