ପୁରୀ: ରାଜ୍ୟରେ ପଞ୍ଜୀକୃତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ଦିଆଯାଇଥିଲା । ଚଳିତବର୍ଷ ଏହି ସ୍ୱାସ୍ଥ୍ୟ କାର୍ଡକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତିତ କରାଯିବା ପାଇଁ ମସୁଧା ଚାଲିଛି । ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି । ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ରାଜ୍ୟ କମିଟି ଡାକରାରେ ପ୍ରତି ଜିଲ୍ଲାରେ ସଂଘର କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ପୁରୀ ଶାଖା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇଙ୍କୁ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଦର୍ଶାଯାଇଛି ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାକୁ ଅପରିବର୍ତ୍ତିତ ରଖାଯାଉ । ଏଥିରେ ସାମ୍ବାଦିକଙ୍କ ପିତାମାତାଙ୍କୁ ତାଲିକାଭୁକ୍ତ କରାଯାଉ । ଯଦି ଆୟୁଷ୍ମାନ ଭାରତ ଯୋଜନାରେ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଏ ତେବେ ସଂଘ ରାଜ୍ୟର ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ ବୋଲି ଚେତାବନି ଦେଇଛି । ଦାବିପତ୍ର ଦେବା ସମୟରେ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର କର, ସଂଘର ଆଇନ ପରାମର୍ଶଦାତା ରାମଚନ୍ଦ୍ର ମହାପାତ୍ର, ଯୁଗ୍ମ ସମ୍ପାଦିକା ବନିତା ଦୀକ୍ଷିତ, ଦିବ୍ଯରଞ୍ଜନ ବିଶୋଇ, ଅରୁଣ କୁମାର, ପ୍ରଦୀପ କୁମାର ପ୍ରଧାନ, ଅନିମେଶ ପଟ୍ଟନାୟକ ,ସଞ୍ଜୟ ଅଗ୍ରୱାଲ ,ଅକ୍ଷୟ କୁମାର ସ୍ୱାଇଁ,ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
