ବାରିପଦା ; ପୁଲିସ ଜବତ କରିଥିବା ଜେସିବିକୁ ବାଲି ମାଫିଆମାନେ ଚୋରାଇ ନେଇଥିଲେ। ମାତ୍ର ଏହାକୁ ପୁଣି ଜବତ କରି ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ରାସଗୋବିନ୍ଦପୁର ଥାନା ପୁଲିସ । ତେବେ ଜେସିବି ମାଲିକ, ଅନ୍ୟ ୨ ଜଣ ଅଟକ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଦେବଶୋଳ ଅଞ୍ଚଳରେ କେତେକ ସ୍ଥାନରେ ଗଚ୍ଛିତ ଚୋରା ବାଲିକୁ ଜେସିବି ସାହାଯ୍ୟରେ ଡମ୍ପରରେ ବୋଝେଇ କରି ଚାଲାଣ ହେଉଥିଲା । ଖବର ପାଇ ରାସଗୋବିନ୍ଦପୁର ପୁଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ଡମ୍ପର ଚମ୍ପଟ ମାରିଥିବା ବେଳେ ଜେସିବି ମେସିନକୁ ଜବତ କରି ଚାଳକ ସହ ଥାନାକୁ ଆଣିଥିଲା ପୁଲିସ । ବିଳମ୍ବିତ ରାତ୍ରିରେ ପୁଲିସ ରଖିଥିବା ସ୍ଥାନରୁ ମାଫିଆମାନେ ଜେସିବି ଚୋରେଇ ନେଇ ଚମ୍ପଟ ମାରିଲେ । ଏହା ଜାଣିବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସାରୁମୂଳା ଅଞ୍ଚଳରୁ ଜେସିବିକୁ ଠାବ କରି ପୁଣିଥରେ ଜବତକରି ଥାନାକୁ ଆଣିଛି । ଉକ୍ତ ଘଟଣାକୁ ନେଇ ତିନି ରୁ ଚାରି ଜଣ କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ରାସଗୋବିନ୍ଦପୁର ଥାନା ପରିସରରେ ଜାଗା ନଥିବା ରୁ ଜେସିବି କୁ ଥାନା ସମ୍ମୁଖ ରାସ୍ତାରେ ରଖିଥିଲା । ଅପରପକ୍ଷରେ ବାଲି ଚୋର ମାନେ କେଉଁଠୁ ଏତେ ସାହସ ପାଇଲେ ତାହାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାରର ଆଲୋଚନା ହେଉଥିବାର ଲକ୍ଷ୍ୟ କରାଯାଇଛି ।
